ଚାଷୀଙ୍କ ଫସଲ ଉପରେ ଅପରାଧୀଙ୍କ ଲୋଳୁପଦୃଷ୍ଟି

ବରଗଡ଼/ବରପାଲି,୧୨।୧୦(ପ୍ରେମାନନ୍ଦ ଖମାରୀ/ଚିତ୍ତରଞ୍ଜନ ସାହୁ)): ବରଗଡ଼ ଜିଲା ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତ ଭୋଇଟିକ୍ରା ଗ୍ରାମରେ ଭାଗିରଥୀ ଭୋଇଙ୍କ ଅଧା ଏକର କଲରା କିଆରୀକୁ କେହି ଦୁର୍ବୃତ୍ତ ନଷ୍ଟ କରି ଦେଇଛନ୍ତି । କିଆରୀରେ ଥିବା ସମସ୍ତ କଲରା ଲତାକୁ ସମ୍ପୂର୍ଣ୍ଣ ଉଫାଡି ଦେଇଥିବା ଅଭିଯୋଗ ହୋଇଛି।

ଅଣଧାନ ଚାଷ ଭାବରେ ପନିପରିବାକୁ ଜିଲାରେ ଚାଷୀମାନେ ଅତି ଉତ୍ସାହ ସହିତ ଚାଷ କରିବା ପାଇଁ ମନ ବୋଲାଉଥିବା ବେଳେ ପ୍ରଥମେ ଜମୁର୍ଡା ଏବଂ ପରେ ଭୋଇଟିକ୍ରାରେ ପରିବା ଚାଷ ନଷ୍ଟ କରିବା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଭାଗରଥୀ ନିଜ ଜମି ବ୍ୟତୀତ ଆହୁରୀ ଧାନ ଚାଷ ପାଇଁ ୨ ଏକର ଏବଂ ପରିବା ଚାଷ ପାଇଁ ଅଧ ଏକର ଭଗଚାଷୀ ଭାବରେ ଚାଷ କରୁଛନ୍ତି। ସେ ଧାର ଉଧାର କରି ଲକ୍ଷଧିକ ଟଙ୍କା ଚାଷରେ ଖର୍ଚ୍ଚ କରିଛନ୍ତି । ଏପରିକି କଲରା ଚାଷରେ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ଶନିବାର ରାତିରେ କୌଣସି ଅସାମାଜିକ ବ୍ୟକ୍ତି କଲରା ଗଛ ସବୁ ଉଫାଡି ଦେଇଥିବା ଅଭିଯୋଗ ହୋଇଛି।

ରବିବାର ସକାଳୁ ଜାଣିବା ପରେ ଗ୍ରାମବାସୀ ସହିତ ସେ ଥାନାକୁ ଯାଇ ଏତଲା ଦେଇଛନ୍ତି। ବରପାଲି ପୋଲିସ ଆସି ତଦନ୍ତ କରୁଛନ୍ତି । ଦରକାର ପଡିଲେ ସନ୍ଧନୀ କୁକୁର ଆଣ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପରିବା ଫସଲ ନଷ୍ଟ ଖବର ଜାଣିବା ପରେ ବରଗଡ଼ ସଂଯୁକ୍ତ କୃଷକ ସଂଗଠନର ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ତପନ ମିଶ୍ର, ଗୁଣନିଧି ପଧାନଙ୍କ ସମେତ କୁମ୍ଭାରୀ କୃଷକ ସଂଗଠନର ବହୁ ସଦସ୍ୟ ପରିବା କିଆରୀକୁ ଯାଇଥିଲେ। ଏହିପରି ଘଟଣା ବରଗଡ଼ ଜିଲାରେ ବାରମ୍ବାର ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିଗ୍ରସ୍ତ ଚାଷର କ୍ଷତିପୂରଣ ଦିଆଯାଉ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

Dharitri – Odisha’s No.1 Odia Daily