ରାଜାଙ୍କ ଫାର୍ମହାଉସରେ କ୍ରାଇମବ୍ରାଞ୍ଚର ତନାଘନା

କେନ୍ଦୁଝର,୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖାର ଏକ ଟିମ୍‌ ଶନିବାର କେନ୍ଦୁଝର ଯାଇ ରାଜା ଚକ୍ରଙ୍କ ଗୋପାଳପୁରସ୍ଥିତ ଫାର୍ମହାଉସ୍‌ରେ ତନାଘନା କରିଛି। ସେଠାରେ ଯାଇ ସେମାନେ  ମାପଚୁପ  କରିଛନ୍ତି। ଏହି ମାପଚୁପ ବେଳେ ରାଜସ୍ବ ଓ ବନବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତାକୁ ନେଇ ଏଜେନ୍ସିର କର୍ମକର୍ତ୍ତା ସମେତ ବିଜେଡ଼ି ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଗିରଫ କରିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତାଙ୍କର ଗାଡ଼ି, ମେଶିିନ, ଘରବାଡ଼ି ଆଦି ତଦନ୍ତ ଘେରକୁ ନେବା ସହ  ଜବତ କରିଛନ୍ତି। ଶନିବାର  ବାଲେଶ୍ୱର କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହେବା ବେଳେ ଏଠାରେ ତାଙ୍କର ଫାର୍ମ ହାଉସରେ ଅର୍ଥନୈତିକ ଅପରାଧ ଶାଖାର ଏକ ଟିମ୍‌ ଫାର୍ମ ହାଉସରେ ଥିବା ଘର୍‌ ବାଡ଼ି ମାପ ଚୁପ କରିଥିଲେ। ଏହି ମାପ ଚୁପର ସବିଶେଷ ରିପୋର୍ଟ କୋର୍ଟରେ ଦାଖଲ କରିବେ ବୋଲି ଜଣା ପଡିଛି। ଉକ୍ତ ଫାର୍ମ ହାଉସରେ ଆମ୍ବ ଓ ଅନ୍ୟ ଫଳ ବଗିଚା ସହିତ ଜଳାଶୟ, ଘର ଆଦି ନିର୍ମାଣ ହୋଇଛି। ଉକ୍ତ ଫାର୍ମଟି ରାଜସ୍ବ ଜମିରେ ରହିଥିବା ବେଳେ ନିର୍ମାଣ ହୋଇଥିବା ଘରର ସ୍ଥିତି ଓ ପରିସୀମା ଯାଞ୍ଚ କରିଛନ୍ତି। ତେବେ ଉକ୍ତ ଫାର୍ମ ହାଉସ ପଟ୍ଟାଭୁକ୍ତ ଜମିରେ ରହିଥିବା ବେଳେ ରାଜସ୍ବ ଜଙ୍ଗଲ ଜମି ଜବରଦଖଲ ଥିବା ଅଭିଯୋଗ ହୋଇଛି। ତେବେ ସେଠାରେ କୌଣସି ସଂରକ୍ଷିତ ଜଙ୍ଗଲ ନାହିଁ। ଇଓଡବ୍ଲ୍ୟୁ ଟିମ୍‌ ଯାଞ୍ଚ କରି ଯାଇଛନ୍ତି। ରାଜସ୍ବ ଓ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଟିମ୍‌ ଏହାର ଯାଞ୍ଚ କରି ଫେରିଛନ୍ତି ବୋଲି ସଦର ଥାନା ଅଧିକାରୀ ଅଜିତ ଦାସ କହିଛନ୍ତି।