ବାଙ୍କୀ/କଳାପଥର,୧୯।୧୦(ଶୁଭେନ୍ଦୁ ମହାପାତ୍ର/ଗଙ୍ଗାଧର ସାହୁ): ବହୁଚର୍ଚ୍ଚିତ ଏସ୍ଆଇ ନିଯୁକ୍ତି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ମୁନା ମହାନ୍ତିଙ୍କ କାରନାମା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ତଳସାହିସ୍ଥିତ ତାଙ୍କ ଘରେ କ୍ରାଇମ୍ବ୍ରାଞ୍ଚ ଚଢ଼ାଉ କରି ବହୁ କାଗଜାଦି ଜବତ କରିଛି। ରାଜଧାନୀ ଭୁବନେଶ୍ୱରର ନଅ ତାଲା ନିକଟରେ ଏକଦା ଚା’ ବିକ୍ରି କରୁଥିବା ମୁନା ପରବର୍ତ୍ତୀ ସମୟରେ ଜମି ଦଲାଲି କରିବା ସହ ବାଲିଘାଟ କାରବାରରେ ସାମିଲ ହୋଇ ଅନେକ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ସେନେଇ କ୍ରାଇମ୍ବ୍ରାଞ୍ଚ ଖୋଳତାଡ଼ କରୁଛି।
ବିଭାଗର ଏକ ୩ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ମୁନାଙ୍କ ବାଙ୍କୀ ଉପଖଣ୍ଡ କଳାପଥର ଅନ୍ତର୍ଗତ ତଳସାହିସ୍ଥିତ ବାସଭବନରେ ଅପରାହ୍ନ ସମୟରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ମୁନାଙ୍କ ଘରେ କେବଳ ତାଙ୍କ ମା’ ଥିଲେ। ଟିମ୍ ମୁନା ମା’ ଙ୍କ ଅନୁମତି ନେଇ ତାଙ୍କ ଘରେ ଯାଞ୍ଚ କରିଥିଲା। ସେଠାରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅନୁସନ୍ଧାନ କରିବା ପରେ କିଛି ଜରୁରୀ କାଗଜପତ୍ର ନେଇ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଚାଲିଯାଇଛନ୍ତି। ବୈଦେଶ୍ୱର ଥାନା ଅଧିକାରୀ ସଞ୍ଜୟ କୁମାର ଜେନାଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢ଼ାଉରେ ଜଣେ ଏସ୍ଆଇ ଓ ମହିଳା କନ୍ଷ୍ଟେବଲ ସାମିଲ ହୋଇଥିଲେ। ତଦନ୍ତରେ ବ୍ୟାଘାତ କାରଣରୁ ବିସ୍ତୃତ ପ୍ରତିକ୍ରିୟା ଦେବାକୁ କ୍ରାଇମ୍ବ୍ରାଞ୍ଚ ଅଧିକାରୀ ମନା କରିଦେଇଛନ୍ତି।
ଭୁବନେଶ୍ୱରରେ ଚା’ ବିକ୍ରି କରୁଥିବା ଥିବା ମୁନା କିଭଳି ବହୁ କୋଟି ଟଙ୍କାର ମାଲିକ ହେବା ସହ ଆଲିସାନ ଗୃହ ନିର୍ମାଣ କଲେ ଏବଂ ଦାମୀ ଗାଡି ବ୍ୟବହାର କରି ରାଜକୀୟ ଜୀବନ ବିତାଉଥିଲେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଏସ୍ଆଇ ପ୍ରଶ୍ନପତ୍ର ଜାଲିଆତି ପଛରେ କୌଣସି ବଡ଼ ରାଜନେତା ଅବା ଅଧିକାରୀଙ୍କ ସମ୍ପୃକ୍ତ ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ। ଏହି କାଣ୍ଡରେ ସମ୍ପୃକ୍ତି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣ ଦାବି କରିଛନ୍ତି। ପ୍ରକାଶ ଯେ, ମୁନା ଏବଂ ତାଙ୍କ ୩ ସହଯୋଗୀଙ୍କୁ ଗୁରୁବାର ରାତିରେ କ୍ରାଇମ୍ବ୍ରାଞ୍ଚ ଟିମ୍ ଦଶପଲ୍ଲାସ୍ଥିତ ଏକ ଫାର୍ମ ହାଉସ୍ରୁ ଗିରଫ କରିଥିଲା।