ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ମିଳିତ ମହାମଞ୍ଚ ପକ୍ଷରୁ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ ହୋଇଯାଇଛି। ସୋମବାର ମୁଖ୍ୟ ଅତିଥିଭାବେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଶାନ୍ତି, ମୈତ୍ରୀ ଓ ଭାଇଚାରାକୁ ବଜାୟ ରଖିବା ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି। ଏହା ଅଞ୍ଚଳର ସାମଗ୍ରିକ ବିକାଶରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଦାରିଙ୍ଗବାଡି ବିଡିଓ ନିଜ ବକ୍ତବ୍ୟରେ କହିଛନ୍ତି। ଏହି ଅବସରରେ ସେ ବ୍ରାହ୍ମଣୀଗାଁ ଖେଳ ପଡିଆର ଉନ୍ନତିକରଣ କରାଯିବା ସହ ଲୋକଙ୍କ ଦାବି ମୁତାବକ ଯାତ୍ରୀ ବିଶ୍ରାମାଗାର ଓ ନଳକୂପ ଖନନ କାର୍ଯ୍ୟକୁ ଖୁବଶୀଘ୍ର କରିବେ ବୋଲି ଘୋଷଣା କରିଛନ୍ତି।
ବିଡିଓ ଟୁର୍ନାମେଣ୍ଟକୁ ଉଦ୍ଘାଟନ କରିବା ସହ ଟସ ପକାଇ ଓ ବ୍ୟାଟିଂ କରି ଖେଳାଳି ଓ ମିଳିତ ମଞ୍ଚକୁ ଉତ୍ସାହିତ କରିଥିଲେ। ଏଥିସହ ସେ ଖେଳାଳିମାନଙ୍କୁ ଖେଳର ଉଦ୍ଦେଶ୍ୟ ଓ ବନ୍ଧୁତ୍ୱକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେବାସହ ସମସ୍ତ ଖେଳାଳିଙ୍କ ସହ କରମର୍ଦ୍ଦନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ସ୍ବେଚ୍ଛାସେବୀ ନମିତା ପରିଡ଼ା, ମିଳିତ ମହାମଞ୍ଚ ସଭାପତି ଚିତ୍ରସେନ ପାତ୍ର, ଉପସଭାପତି ରମାକାନ୍ତ ବଳିଆର ସିଂ, ସମ୍ପାଦକ ପ୍ରଶାନ୍ତ ନାୟକ, ଉପସଭାପତି ଗଣେଷ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ପ୍ରଥମ ଦିବସ ଉଦଘାଟନୀ ମ୍ୟାଚରେ ଗଜପତି ଜିଲାର ଏମ୍. ଖାରିଗୁଡ଼ା ସହ ଦାରିଙ୍ଗବାଡି ବ୍ଲକ ଗାହାକିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଟସ ଜିତି ଖାରିଗୁଡା ଟିମ ବୋଲିଂ ନିଷ୍ପତ୍ତି ନେଇଥିଲା। ଗାହାକିଆ ଟିମ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ଖେଳ ମଧ୍ୟରୁ ୧୧ ଓଭରରେ ସର୍ବାଧିକ ୫୮ରନ କରି ଅଲ୍ଆଉଟ ହୋଇଥିଲେ। ଜବାବରେ ଏମ୍. ଖାରିଗୁଡା ମାତ୍ର ୨ ଉଇକେଟ ହରାଇ ୪.୪ ଓଭରରେ ଟାର୍ଗେଟ ହାସଲ କରିନେଇଥିଲା। ଖାରିଗୁଡ଼ା ଟିମର ରାଜା ନାୟକ ନିଜର ଜବରଦସ୍ତ ବ୍ୟାଟିଂ ଯୋଗୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ମିଳିତ ମହାମଞ୍ଚର କୋଷାଧ୍ୟକ୍ଷ ଥମାସ ନାୟକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।