IPL ବିରୋଧରେ ସାରା ବିଶ୍ୱର ଖେଳାଳିଙ୍କୁ ଉକୁସାଇଲା ପାକିସ୍ତାନ, ଟାର୍ଗେଟ କରି ଇଞ୍ଜାମାମ୍‌ କହିଲେ…

ଇସଲାମାବାଦ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ଟିମ୍‌ କରୁଥିଲେ ହେଁ ବିନା କୌଣସି ମ୍ୟାଚ୍‌ ଜିତି ପ୍ରଥମ ରାଉଣ୍ଡରୁ ବାଦ୍‌ ପଡ଼ିଛି। ଏଭଳି ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ଦଳକୁ ସମାଲୋଚିତ ହେବାକୁ ପଡ଼ୁଛି। ଅପରପକ୍ଷେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଏହାକୁ ନେଇ ଲଗାତାର ଭାବେ ପାକିସ୍ତାର କିଛି କ୍ରିକେଟର ଟିମ୍‌ ଇଣ୍ଡିଆକୁ ଟାର୍ଗେଟ କରୁଛନ୍ତି। ଏହି କ୍ରମରେ ଏବେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ ଉଲ ହକ ଆଇପିଏଲ୍‌କୁ ଟାର୍ଗେଟ କରିଛନ୍ତି। ସେ ସାରା ବିଶ୍ୱର ବୋର୍ଡ ଏବଂ ଖେଳାଳିଙ୍କୁ ଉକୁସାଇବାକୁ ଚେଷ୍ଟା କରିଛନ୍ତି। ଏପରିକି ଭାରତୀୟ ଲିଗ୍‌କୁ ସମସ୍ତେ ମିଶି ବଏକଟ କରିବା ଉଚିତ ବୋଲି କହିଛନ୍ତି।
ଦୁବାଇରେ ଭାରତ ଚାମ୍ପିଅନ୍ସ ଟ୍ରଫି ମୁକାବିଲାଗୁଡ଼ିକ ଖେଳୁଛି। ଏହାକୁ ନେଇ ପୂର୍ବରୁ ବିବାଦ ଉପୁଜିଛି। ଅନେକ ଖେଳାଳି ଗୋଟିଏ ମଇଦାନରେ ଖେଳିବା ଲାଭ ଭାରତକୁ ମିଳିବ ବୋଲି ଦର୍ଶାଇ ଆପତ୍ତି ଉଠାଇଛନ୍ତି। ଏବେ ଇଞ୍ଜାମାମ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିକୁ ଛାଡ଼ନ୍ତୁ। ଦୁନିଆର ଶ୍ରେଷ୍ଠ ଖେଳାଳି ଆଇପିଏଲ୍‌ରେ ଭାଗ ନେଉଛନ୍ତି। ହେଲେ ଭାରତୀୟ ଖେଳାଳି ଅନ୍ୟ କୌଣସି ଲିଗ୍‌ରେ ଖେଳିବାକୁ ଯାଆନ୍ତି ନାହିଁ। ଏବେ ସମୟ ଆସିଛି ଅନ୍ୟ ବୋର୍ଡ ନିଜର ଖେଳାଳିଙ୍କୁ ଆଇପିଏଲ୍‌ ପଠାନ୍ତୁ ନାହିଁ। ଯଦି ବିସିସିଆଇ ଦୁନିଆର ଦ୍ୱିତୀୟ ଲିଗ୍‌ ଲାଗି ନିଜର ଖେଳାଳିଙ୍କୁ ରିଲିଜ୍‌ କରିବ ନାହିଁ ତେବେ ଦ୍ୱିତୀୟ ବୋର୍ଡ ମଧ୍ୟ କଡ଼ା ଆକ୍ସନ ନେବାର ଅଧିକାର ରଖନ୍ତି ବୋଲି ସେ ଏକ ଟେଲିଭିଜନ ଚ୍ୟାନେଲରେ ଆଲୋଚନା ସମୟରେ କହିଛନ୍ତି।
ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ଭାରତର କାର୍ଯ୍ୟସୂଚୀ ବିଷୟରେ ଏକ ଟିଭି ଚ୍ୟାନେଲ ଆଲୋଚନା ସମୟରେ ସକଲୈନ ମୁସ୍ତାକ କହିଥିଲେ, “ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ କେବଳ ଗୋଟିଏ ମ୍ୟାଚ ପାଇଁ ପ୍ରସ୍ତୁତ ହୁଏ ଏବଂ ତା’ପରେ ସେଠାରୁ ଚାଲିଯାଏ।” ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ଏହିପରି ହୁଏ ଯେ ସେମାନଙ୍କର ଖେଳାଳିମାନେ ଏତେ ଭଲ ଏବଂ ଭଲ ଖେଳୁଛନ୍ତି, ତେବେ ମୁଁ ଭାବୁଛି ଯେ ସେମାନେ ଆମ ସହିତ ୧୦ ଟେଷ୍ଟ ମ୍ୟାଚ୍‌, ୧୦ ଦିନିକିଆ ଏବଂ ୧୦ ଟି-୨୦ ମ୍ୟାଚ୍‌ ଖେଳିବା ଉଚିତ, ତା’ପରେ ସବୁକିଛି ସ୍ପଷ୍ଟ ହୋଇଯିବ।”