ଟିମ୍‌ ଇଣ୍ଡିଆରୁ ବହିଷ୍କୃତ କରିଥିଲା BCCI, ଏବେ IPLରେ ନାୟାରଙ୍କୁ ମିଳିଲା ବଡ଼ ଦାୟିତ୍ୱ

କୋଲ୍‌କାତା,୧୯ା୪: ନିକଟରେ ଭାରତୀୟ ଦଳର ଆସିଷ୍ଟାଣ୍ଟ କୋଚ୍‌ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ପୁଣି ଥରେ ଆଇପିଏଲ୍‌କୁ ଫେରିଛନ୍ତି। କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ରେ ସପୋର୍ଟ ଷ୍ଟାଫ୍‌ ଭାବେ ଯୋଗଦେଇଛନ୍ତି। ଏ ନେଇ କେକେଆର୍‌ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଦାୟିତ୍ୱ ଓ ପଦବୀ ସମ୍ପର୍କରେ କିଛି କୁହାଯାଇନାହିଁ। ତେବେ ଟିମ୍‌ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

ମୁମ୍ବାଇର ପୂର୍ବତନ ଅଲରାଉଣ୍ଡର ଅଭିଷେକ ଗତ ସିଜନ ଯାଏ କୋଲକାତା ନାଇଟ ରାଇଡର୍ସ ସହ ଥିଲେ। ତେବେ ତାଙ୍କ ମାର୍ଗଦର୍ଶନରେ କୋଲକାତା ଏକ ଦଶନ୍ଧି ପରେ ଆଇପିଏଲ୍‌ ଟାଇଟଲ ଜିତିଥିଲା। ଏଥିସହିତ କେକେଆର୍‌ ଏକାଡେମୀରେ ଯୁବ ଖେଳାଳିଙ୍କ ଉନ୍ନତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ଏବେ ତାଙ୍କ ପ୍ରତ୍ୟାବର୍ତ୍ତନ ସ୍ବାଗତଯୋଗ୍ୟ ବୋଲି କେକେଆର୍‌ ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି।

ଚଳିତ ସିଜନ ଦେଖିଲେ କୋଲକାତା ସଂଘର୍ଷ କରୁଥିବା ଦେଖାଯାଉଛି। ଏଯାବତ ୭ ମ୍ୟାଚ୍‌ରୁ ଦଳ ୩ରେ ବିଜେତା ହୋଇଛି। ଏଣୁ ନାୟାରଙ୍କ ପ୍ରତ୍ୟାବର୍ତ୍ତନ ଦଳର ଖେଳାଳିଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।