୫ ଦିନ ହେଲା ରାସ୍ତା ଅବରୋଧ କରିଛି କ୍ରେନ୍‌, ଯାତାୟାତ ବାଧାପ୍ରାପ୍ତ

ବଡବିଲ, ୧୦।୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ସହର ମୁଖ୍ୟ ପ୍ରବେଶ ପଥର ଅନତି ଦୂରରେ ଏକ କ୍ରେନ ରାସ୍ତାକୁ ୫ ଦିନ ହେଲା ଅବରୋଧ କରି ରହିଛି। ହେଲେ ପରିବହନ ବିଭାଗ କିମ୍ବା ପୋଲିସ ପ୍ରଶାସନ ଉକ୍ତ କ୍ରେନ୍‌କୁ ହଟାଇବାରେ ଅକ୍ଷମତା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏମ୍‌ଏଚ୦୧ ଡି ଏକ୍ସ ୩୬୧୩ ନମ୍ବର ବିଶିଷ୍ଟ ଏକ କ୍ରେନ୍‌ ୧୦ ନମ୍ବର ରାଜ୍ୟ ରାଜପଥ (ଭଦ୍ରାସାହି-ବଡବିଲ-ନାଲଦା)ର ବ୍ୟସ୍ତବହୁଳ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ଦୀର୍ଘ ୫ ଦିନ ହେଲା ରାସ୍ତା ଉପରେ ଛିଡା ହୋଇ ରାସ୍ତା ଅବରୋଧ କରିଛି। ଫଳରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜି ରାସ୍ତାଜାମର କାରଣ ପାଲଟିଛି। ଏ ନେଇ ବଡବିଲସ୍ଥିତ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ଗା ପ୍ରସାଦ ରାଓଙ୍କୁ ପଚାରିବାରୁ ସେ କୁହିଛନ୍ତି, କ୍ରେନ୍‌ ହଟାଇବା ଲାଗି ସମ୍ପୃକ୍ତ କ୍ରେନ୍‌ ମାଲିକଙ୍କୁ କୁହାଯାଇଛି ହେଲେ ସେ ହଟାଇନାହାନ୍ତି। ସେହିଭଳି ବଡବିଲ ଥାନା ଇନ୍ସପେକ୍ଟର ରମାକାନ୍ତ ମୁଦୁଲିଙ୍କୁ ପଚାରିବାରୁ ସେ ମଧ୍ୟ ଅନୁରୂପ ଭାବେ କହିଛନ୍ତି, ବାରମ୍ବାର କ୍ରେନ୍‌ ହଟାଇବା ଲାଗି କ୍ରେନ୍‌ ମାଲିକଙ୍କୁ କୁହାଯାଇଛି, ହେଲେ ସେ ହଟାଇ ନାହାନ୍ତି। ଅନ୍ୟ କୌଣସି କ୍ରେନ୍‌ ଯୋଗେ ତାହା ହଟାଇବା ସମ୍ଭବ ହେଉ ନାହିଁ।

Share