ମହାରାଷ୍ଟ ମହାମେଣ୍ଟରେ ଫାଟ: ଭାଜପାକୁ ସିଧା ସିଧା ଏମିତି କହିଦେଲେ ଏକନାଥ ଶିନ୍ଦେ

ମୁମ୍ବାଇ,୨ା୧୨:ଶିବସେନାର କେତେଜଣ ପୂର୍ବତନ କର୍ପୋରେଟର ଏବଂ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେବାକୁ ନେଇ ମହାରାଷ୍ଟ୍ରର ଶାସକ ମହାମେଣ୍ଟର ୨ ସହଯୋଗୀ ଦଳ ମଧ୍ୟରେ ଫାଟ ସ୍ପଷ୍ଟ ହୋଇଛି। ଶିବସେନା ଭଳି ଭାଜପା ମେଣ୍ଟ ଧର୍ମ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ଘୋଡ଼ାବେପାରକୁ ନେଇ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ସହ କଥା ହୋଇଛନ୍ତି। ତଦନୁଯାୟୀ ଶିବସେନାର ପୂର୍ବତନ କର୍ପୋରେଟରଙ୍କୁ ଭାଜପା ନେବ ନାହିଁ ଏବଂ ଭାଜପାର ପୂର୍ବତନ କର୍ପୋରେଟର ଶିବସେନାକୁ ଯିବେ ନାହିଁ। ଆଗାମୀ ପୌର ନିର୍ବାଚନକୁ ଆମେ ଏକାଠି ଲଢ଼ିବାକୁ ହେବ ବୋଲି ଶିନ୍ଦେ କହିଛନ୍ତି। ଏହା ପରେ ଲୋକ ସଭା ନିର୍ବାଚନ ହେବ। ତେଣୁ ମେଣ୍ଟର କ୍ଷତି ହେବା କିମ୍ବା ଭୁଲ୍‌ ବୁଝାମଣା ସୃଷ୍ଟି ହେଲା ଭଳି କୌଣସି କାର୍ଯ୍ୟ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଦଳରୁ ଅଲଗା ହେବା ପରେ ଶିନ୍ଦେ ଶିବସେନାର ନେତୃତ୍ୱ ନେଇଥିଲେ। ସେ କହିଛନ୍ତି, ତାଙ୍କ ଦଳ ମେଣ୍ଟଧର୍ମକୁ କଡ଼ାକଡ଼ି ପାଳନ କରିଆସୁଥିବାବେଳେ ଭାଜପା ମଧ୍ୟ ଅନୁରୂପ ଆଚରଣ ପ୍ରଦର୍ଶନ କରିବା ସେ ଆଶା କରନ୍ତି। ଯଦି ମେଣ୍ଟ ଶୃଙ୍ଖଳାକୁ ଅଣଦେଖା କରାଯାଏ, ତେବେ ମୁହଁାମୁହିଁ ହେବା ଅବଶ୍ୟମ୍ଭାବୀ ବୋଲି ଶିନ୍ଦେ ସତର୍କ କରାଇ ଦେଇଛନ୍ତି।

 

Dharitri – Odisha’s No.1 Odia Daily