ରାଜପଥରେ ଖୋଲାଖୋଲି ବୁଲୁଛନ୍ତି ଗୋରୁ: ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ସାକ୍ଷୀଗୋପାଳ, ୭।୯(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ଛକ ନିକଟରେ ରବିବାର ରାତି ୧୦ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ୍ ଆରୋହୀ ନିର୍ମଳ ଦାସ (୩୫), ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହାଜାହାନପୁର ଗ୍ରାମର ବାସିନ୍ଦାଙ୍କର ମୃତ୍ୟୁ ଘଟିଛି। ବ୍ରହ୍ମଗିରିରୁ ଭୁବନେଶ୍ୱର ଯାଉଥିବା ବେଳେ ରାଜପଥରେ ଦୁଇଟି ବାଛୁରୀଙ୍କ ସହ ବାଇକ୍‌ର ଧକ୍କା ହେବାରୁ ନିର୍ମଳ ଗୁରୁତର ଆହତ ହୋଇଥିଲେ। ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଦୁର୍ଘଟଣାରେ ବାଛୁରୀ ଦ୍ୱୟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସତ୍ୟବାଦୀ ପୋଲିସ ଶବ ଓ ବାଇକ୍ ଜବତ କରି ତଦନ୍ତ ଆରମ୍ଭ କରିଛି। ସୋମବାର ଶବ ବ୍ୟବଚ୍ଛେଦ ହେବ ବୋଲି ଥାନା ଆଇଆଇସି ବିଜୟ କେତନ ବେହେରା ସୂଚନା ଦେଇଛନ୍ତି।

ରାଜପଥରେ ଗୋରୁଙ୍କ ଅବାଧ ବିଚରଣ ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନ ଏହା ନିୟନ୍ତ୍ରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।