ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ ବାବାଙ୍କୁ ଟ୍ରକ୍ ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଅପରାହ୍ନରେ ଆଗ୍ରା-ଦିଲ୍ଲୀ ରାଜପଥ ଅବରୋଧ କରିବା ସହ ଜୋର୍ଦାର ବିକ୍ଷୋଭ କରିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ବାବାଙ୍କ ସମର୍ଥକମାନଙ୍କ ଅଭିଯୋଗ ଅନୁଯାୟୀ, ଏକ ଗୋରୁ ବୋଝେଇ ଟ୍ରକ୍କୁ ଅଟକାଇବାକୁ ଫାର୍ସା ବାବା ଓ ତାଙ୍କ ଅନୁଗାମୀମାନେ ଉଦ୍ୟମ କରୁଥିବାବେଳେ ଚୋରାଚାଲାଣକାରୀମାନେ ଟ୍ରକ୍ ମଡ଼ାଇ ଦେଇଥିଲେ। ମଥୁରା ଜିଲା ପ୍ରଶାସନ କହିବା ଅନୁଯାୟୀ, ଗୋରୁ ଚାଲାଣ ସନ୍ଦେହରେ ବାବା ଓ ତାଙ୍କ ସମର୍ଥକମାନେ ରାଜପଥରେ ଏକ କଣ୍ଟେନର ଟ୍ରକ୍କୁ ଅଟକାଇଥିଲେ, ଯେଉଁଥିରେ ନାଗାଲାଣ୍ଡ ପଞ୍ଜୀକୃତ ନମ୍ବର ରହିଛି। ତେବେ ଯାଞ୍ଚ ବେଳେ ଟ୍ରକ୍ରେ ସାବୁନ୍, ଫିନାଇଲ ଓ ସାମ୍ପୋ ଯାଉଥିବା ଜଣାପଡ଼ିଥିଲା। ଏହି ସମୟରେ ରାଜସ୍ଥାନ ପଞ୍ଜୀକୃତ ଅନ୍ୟ ଏକ ଟ୍ରକ୍ ଆସିଥିଲା। ଭୋର ସମୟରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ କମ୍ ହେଉଥିବାରୁ ଟ୍ରକ୍ଟି ଗୋରକ୍ଷକ ଟିମ୍କୁ ଧକ୍କା ଦେଇଥିଲା ବୋଲି ଜିଲାପାଳ ଚନ୍ଦ୍ରପ୍ରକାଶ ସିଂ କହିଛନ୍ତି। ଏହା ସତ୍ତ୍ୱେ ବାବାଙ୍କୁ ଜାଣିଶୁଣି ଟ୍ରକ୍ ମଡ଼ାଇ ଦିଆଯାଇଥିବା ଅଭିଯୋଗରେ ଲୋକେ ରାସ୍ତା ଅବରୋଧ କରିବା ସହ ଟେକାମାଡ଼ କରିଥିଲେ। ପ୍ରଶାସନ ଓ ପୋଲିସ ଅଧିକାରୀମନେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।