Categories: Home Leftଖେଳ

କୋଭିଡ୍‌-୧୯ ଲଢ଼େଇ: କୁମିନ୍ସଙ୍କ ପରେ ଲି’ଙ୍କ ବଦାନ୍ୟତା

ନୂଆଦିଲ୍ଲୀ,୨୮।୪(ପି.ଟି.): ଭାରତର କୋଭିଡ୍‌- ୧୯ ମହାମାରୀ ଲଢେଇରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି। ବିଶ୍ୱର ୧ ନମ୍ବର ବୋଲର ନିଜ ଦେଶର ପ୍ୟାଟ୍‌ କୁମିନ୍ସଙ୍କଠାରୁ ପ୍ରେରଣା ପାଇ ସେ କରୋନା ଲଢେଇରେ ଭାରତକୁ ସାହାଯ୍ୟ କରିବା ପାଇଁ ଗୋଟିଏ ବିଟ୍‌କଏନ ଅର୍ଥାତ୍‌ ପାଖାପାଖି ୪୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
ପୂର୍ବରୁ ସୋମବାର କୁମିନ୍ସ ଅକ୍ସିଜେନ ଯୋଗାଣ ପାଇଁ ପିଏମ୍‌ କେୟାର ପାଣ୍ଠିକୁ ୫୦, ୦୦୦ ଡଲାର ଦାନ କରିଥିଲେ। ମହାମାରୀରେ ଲୋକେ ପୀଡିତ ହୋଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅକ୍ସିଜେନ ଯୋଗାଣ ପାଇଁ ଏହି ପରିମାଣ ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଲି’ ଟୁଇଟ୍‌ କରି ଜଣାଇଛନ୍ତି। ଭାରତ ମୋ ପାଇଁ ଦ୍ୱିତୀୟ ଘର ସଦୃଶ। ଖେଳିବା ବେଳେ ଓ ଅବସର ନେବା ପରେ ଭାରତର ଲୋକମାନେ ବହୁତ ଭଲ ପାଇଛନ୍ତି ଓ ସମ୍ମାନ ଦେଇଛନ୍ତି ବୋଲି ବିଶ୍ୱର ଅନ୍ୟତମ ଦ୍ରୁତ ବୋଲର ଲି’ କହିଛନ୍ତି। କୁମିନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳୁଛନ୍ତି। ସେହିପରି ଲି’ ମଧ୍ୟ ଆଇପିଏଲ୍‌ ପାଇଁ କମେଣ୍ଟ୍ରି କରୁଛନ୍ତି। କରୋନା ମହାମାରୀ ବିରୋଧରେ ଏକାଠି ହୋଇ ଲଢିବାର ସମୟ ଆସି ପହଞ୍ଚିଛି। ଲୋକମାନେ ନିଜର ଯତ୍ନ ନେବା ସହ ଘରେ ରହି, ନିୟମିତ ହାତ ଧୋଇବାକୁ ଲି’ ନିବେଦନ କରିଛନ୍ତି। ଅତି ଦରକାର ପଡିଲେ ଘରୁ ବାହାରକୁ ଯାଆନ୍ତ ଓ ମାସ୍କ ପରିଧାନ କରନ୍ତୁ। କୁମିନ୍ସଙ୍କ ବଦାନ୍ୟତାକୁ ଲି’ ପ୍ରଶଂସା କରିଛନ୍ତି। ୪୪ ବର୍ଷୀୟ ଲି’ ଅଷ୍ଟ୍ରେଲିଆ ତରଫରୁ ପ୍ରତିନିଧିତ୍ୱ କରି ୭୬ଟି ଟେଷ୍ଟ, ୨୨୧ଟି ଦିନିକିଆ ଓ ୨୫ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ଅସାଧାରଣ ଭାବେ ସଫଳତା ପାଇଛନ୍ତି।