ନୂଆଦିଲ୍ଲୀ,୩୧।୭: ୨୦୦୮ ମସିହାରେ ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ୧୭ ବର୍ଷ ପରେ NIA ସ୍ବତନ୍ତ୍ର କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
କୋର୍ଟ ମାଲେଗାଓଁ ବିସ୍ଫୋରଣର ପୀଡିତଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦେବାକୁ କୁହାଯାଇଛି।
ଏହି ବିସ୍ଫୋରଣ ୨୯ ସେପ୍ଟେମ୍ବର ୨୦୦୮ରେ, ପବିତ୍ର ରମଜାନ ଏବଂ ନବରାତ୍ରି ପୂର୍ବରୁ ଘଟିଥିଲା, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ସରକାରୀ ଓକିଲ ଏବଂ ପ୍ରତିରକ୍ଷା ପକ୍ଷରୁ ଶୁଣାଣି ଏବଂ ଚୂଡ଼ାନ୍ତ ଯୁକ୍ତି ସମାପ୍ତ କରିବା ପରେ କୋର୍ଟ ୧୯ ଏପ୍ରିଲରେ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ଏକ ଲକ୍ଷରୁ ଅଧିକ ପୃଷ୍ଠାର ପ୍ରମାଣ ଏବଂ ଦଲିଲ ଯୋଗୁ କୋର୍ଟ ରାୟ ଘୋଷଣା କରିବାକୁ ଏତେ ସମୟ ନେଇଥିଲେ।