ଡେଲିଭରି ଏଜେଣ୍ଟଙ୍କୁ କାର୍‌ ମଡ଼ାଇ ହତ୍ୟା କଲେ ଦମ୍ପତି, ଜାଣନ୍ତୁ ହତ୍ୟା ପଛର କାରଣ…

ବେଙ୍ଗାଲୁରୁ,୩୦ା୧୦: ଜଣେ ଡେଲିଭରି ଏଜେଣ୍ଟଙ୍କ ବାଇକ୍‌କୁ ପିଛାକରି କାର୍‌ ମଡ଼ାଇ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରୁଥିବା ଏକ ଦମ୍ପତିଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି।

ଗତ ୨୫ ତାରିଖ ରାତିରେ ଦକ୍ଷିଣ ବେଙ୍ଗାଲୁରୁର ଶ୍ରୀରାମ ମନ୍ଦିର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଡେଲିଭରି ଏଜେଣ୍ଟ ଦର୍ଶନଙ୍କର ମୃତ୍ୟୁ ଘଟିଥିବା ବେଳେ ପଛ ସିଟ୍‌ରେ ବସିଥିବା ତାଙ୍କ ବନ୍ଧୁ ବରୁଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁ ନେଇ ପ୍ରଥମେ ମାମଲା ଦାଏର ହୋଇଥିଲା। ତେବେ ସିସିଟିଭି ଫୁଟେଜ୍‌ ଅନୁଧ୍ୟାନ କରିବା ସହ ତଦନ୍ତରୁ କାର୍‌ ଚାଳକ ଜାଣିଶୁଣି ବାଇକ୍‌କୁ ପିଛା କରିବା ସହ ଧକ୍କା ଦେଇଥିବା ଜଣାପଡ଼ିଥିଲା।

ଡିସିପି ଲୋକେଶ ଜଗଲସୁରଙ୍କ କହିବା ଅନୁଯାୟୀ ଦର୍ଶନଙ୍କ ବାଇକ୍‌ ଘସି ହୋଇଯିବାରୁ କାର୍‌ ସାଇଡ୍‌ ମିରର ଭାଙ୍ଗିଯାଇଥିଲା। ଏହାକୁ ନେଇ କାର୍‌ ଚାଳକ ଏବଂ ଦର୍ଶନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କାର୍‌ ଚାଳକ ବାଇକ୍‌କୁ ପିଛା କରି ଜାଣିଶୁଣି ଧକ୍କା ଦେଇଥିଲେ।

ଅଭିଯୁକ୍ତ କାର୍‌ଚାଳକ ମନୋଜ ଶର୍ମା ଜଣେ ଶିକ୍ଷକ। ଧକ୍କା ଦେବା ପରେ ସେ ଓ ତାଙ୍କ ସ୍ତ୍ରୀ ମୁହଁରେ ମାସ୍କ ପିନ୍ଧି ଘଟଣାସ୍ଥଳକୁ ଆସି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କାର୍‌ ପାଟର୍‌ସକୁ ସଂଗ୍ରହ କରିଥିଲେ। ଘଟଣା ଜଣାପଡ଼ିବା ପରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ମନୋଜ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରାଯିବା ସହ କୋର୍ଟରେ ହାଜର କରାଯାଇଛି।