ମୋହନା, ୧୪।୩ (ମନ୍ମଥ ମିଶ୍ର): ଗଜପତି ଜଲା ମୋହନା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଜୁ ବାଡ଼ରେ ଲାଗିଥିବା ନିଆଁକୁ ଲିଭାଇବାକୁ ଯାଇ ଜଣେ ସ୍ବାମୀ ଓ ସ୍ତ୍ରୀ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ସେଥିରୁ ବାହାରୁଥିବା ପ୍ରଚଣ୍ଡ ଝାସରେ ଉଭୟ ଅଚେତ ହୋଇ ପଡ଼ିଯାଇଥିଲେ।
ସୂଚନାନୁଯାୟୀ, କର୍ଚ୍ଚବାଡ଼ି ଗ୍ରାମ ପଞ୍ଚାୟତର ରାଲ୍ଦିପଙ୍କା ଗାଁ ନିକଟସ୍ଥ ଏକ କାଜୁ ବାଡ଼ରେ ଶନିବାର ଅପରାହ୍ନରେ ହଠାତ ନିଆଁ ଲାଗିଯାଇଥିଲା। ଗାଁର ହେମନ୍ତ ଗମାଙ୍ଗ (୨୬) ଏବଂ ତାଙ୍କ ପତ୍ନୀ ସୁମିତ୍ରା ଗମାଙ୍ଗ (୨୨) ନିଜ ବାଡ଼ରେ ନିଆଁ ଲାଗିଥିବା ଦେଖି ତାହାକୁ ଆୟତ୍ତ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ। ନିଆଁକୁ ଲିଭାଇବା ସମୟରେ ନିଆଁର ଝାସ ଏବଂ ଧୂଆଁ ଯୋଗୁଁ ଉଭୟ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇ କାଜୁ ବାଡ଼ରେ ପଡ଼ିଯାଇଥିଲେ। ସେହି ସମୟରେ ନିକଟରେ ଥିବା କିଛି ଗ୍ରାମବାସୀ ତୁରନ୍ତ ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ଅଡବା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସ୍ଥିର ନ ହେବାରୁ ପରେ ସେମାନଙ୍କୁ ମୋହନା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଜାରି ରହିଛି।
Dharitri – Odisha’s No.1 Odia Daily