ଯାଜପୁର/ବ୍ରହ୍ମବରଦା,୪ା୨ (ହର୍ଷବର୍ଦ୍ଧନ ବେହେରା/ଯଯାତି କେଶରୀ ବେହେରା): ଋଣ ବୋଝ ଅସହ୍ୟ ହେଲା। ମାନସିକ ସନ୍ତୁଳନ ହରାଇ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୋଠାସାହି ଗ୍ରାମର ଏକ ଦମ୍ପତି ବେକରେ ରଶି ବାନ୍ଧି ସୋମବାର ଆମତ୍ହତ୍ୟା କରିଛନ୍ତି। ମୃତକ ହେଲେ ବିଜୟ ରାଉତ(୬୦) ଏବଂ ତାଙ୍କ ସ୍ତ୍ରୀ ପଦ୍ମିନୀ ରାଉତ(୫୫)। ବ୍ରହ୍ମବରଦା ଥାନା ପୋଲିସ ସୋମବାର ପୂର୍ବାହ୍ନରେ ଖବର ପାଇ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ଥାନାରେ ୨ଟି ଅପମୃତ୍ୟୁ ମାମଲା(ନଂ.୨/୨୦୨୫ ଓ ୩/୨୦୨୫) ରୁଜୁ ହୋଇଛି। ପୋଲିସ ଅଧିକ ତଦନ୍ତ ଚଳାଇଛି।
ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟ ଏକ ଅଟୋରିକ୍ସା କିଣିଥିଲେ। ସେଥିପାଇଁ କରିଥିବା ଋଣକୁ ସେ ମାସିକ କିସ୍ତିରେ ଶୁଝୁଥିଲେ। ଏହାସହ ବିଭିନ୍ନ ସୂତ୍ରରୁ ସେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ। ହେଲେ କୌଣସି କାରଣରୁ ସେ ମାସିକ କିସ୍ତି ଓ ସୁଧ ଟଙ୍କା ଦେଇପାରୁ ନ ଥିଲେ। ଏଥିପାଇଁ ବିଜୟ କିଛି ଦିନ ତଳେ ଜମି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ନିଜର ୩ ଭଉଣୀଙ୍କ ସହ ଆଲୋଚନା କରିଥିଲେ। ହେଲେ କୌଣସି କାରଣରୁ ଜମି ବିକ୍ରି ହୋଇ ପାରି ନ ଥିଲା। ବିଜୟଙ୍କ ଏକମାତ୍ର ପୁଅ ବାଙ୍ଗାଲୋରରେ ରହି କାମ କରନ୍ତି। ପ୍ରତିଦିନ ପରି ସେ ସୋମବାର ସକାଳୁ ଘରକୁ ଫୋନ କରିଥିଲେ। ତାଙ୍କ ମା’ବାପା ଫୋନ ନ ଉଠାଇବାରୁ ଗାଁରେ ରହୁଥିବା ସାଙ୍ଗ ସୋମନାଥଙ୍କ ନିକଟକୁ ସେ ଫୋନ କରି ଘରକୁ ଯିବା ପାଇଁ କହିଥିଲେ। ସୋମନାଥ ପ୍ରଥମେ ଯାଇ ଘରର କବାଟ ବନ୍ଦ ଥିବା ଦେଖି ଫେରି ଆସିଥିଲେ। କିଛି ସମୟ ପରେ ପୁଣି ସୋମନାଥ ଯାଇ ଦେଖନ୍ତିତ ଠାକୁର ଘରେ ଏହି ଦମ୍ପତି ଫ୍ୟାନରେ ଝୁଲିଛନ୍ତି। ଘରର କାନ୍ଥରେ ମୋ ୩ ଭଉଣୀଙ୍କୁ ଆମ ଶବକୁ ଛୁଇଁବାକୁ ଦେବ ନାହିଁ, ନଚେତ୍ ମୋ ଆମତ୍ା ଶାନ୍ତି ପାଇବ ନାହିଁ। ଗ୍ରାମବାସୀଙ୍କ ଦ୍ୱାରା ଆମ ଶବ ସତ୍କାର କରିବାକୁ କଳା ଅକ୍ଷରରେ ଲେଖାଯାଇଛି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବରପାଇ ପୋଲିସ ଘରୁ ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ବିଜୟଙ୍କ ପୁଅ ବାଙ୍ଗାଲୋରରୁ ଆସିବା ପରେ ଏହି ଘଟଣାର ପ୍ରକୃତ ରହସ୍ୟା ଜଣାପଡିବ ବୋଲି ପୋଲିସ କହିଛି।