ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦) ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ ଓ ଗନ ପାଉଡର ସହିତ ଏକ ବାଇକ ଜବତ କରିଛି । ଏଥିସହ କେଶବକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ପୋଲିସ ନାଇଟ ପ୍ୟାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ (ନଂ-ଓଡି-୧୯-ବି-୩୪୪୫) ଯୋଗେ କେଶବ ଜିରୋ ପଏଣ୍ଟରୁ କୁସୁଖଳିଆ ପଟକୁ ଆସୁଥିଲା । ତେବେ ପ୍ୟାଟ୍ରୋଲିଂ ରତ ପୋଲିସ ଗାଡିକୁ ଦେଖି ସେ ଫେରି ଯିବାକୁ ଉଦ୍ୟମ କରୁଥିବା ବେଳେ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ପିଛାକରି ଖଇରପାଲି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅଟକାଇ ତଲାସୀ କରିଥିଲା । ତଲାସି ସମୟରେ କେଶବଙ୍କ ଠାରୁ ଉକ୍ତ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ ଏବଂ ଗନ ପାଉଡର ବାହାରିଥିଲା। ସେହିପରି ଉକ୍ତ ବନ୍ଧୁକ ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ନଥିବା ବେଳେ ଜଙ୍ଗଲୀ ଜନ୍ତୁ ଶିକାର ସମେତ ବେଆଇନ କାର୍ଯ୍ୟ ପାଇଁ କେଶବ ଏହାକୁ ନିଜ ପାଖରେ ରଖିଥିବା ପୋଲିସ ଜାଣିବାକୁ ପାଇଥିଲା । ଫଳରେ ଉକ୍ତ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ ଓ ଗନ ପାଉଡର ସମେତ ସେ ବ୍ୟବହାର କରୁଥିବା ବାଇକକୁ ମଧ୍ୟ ପୋଲିସ ଜବତ କରିଥିଲା। ଏଥିସହ କେଶବଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା।

Dharitri – Odisha’s No.1 Odia Daily

Share