ତ୍ରିସ୍ତରୀୟ ସୁରକ୍ଷାରେ ହେବ ଭୋଟ ଗଣତି: ସକାଳ ୮ଟାରେ ପୋଷ୍ଟାଲ ବାଲଟ, ସାଢ଼େ ୮ରେ ଖୋଲିବ ଇଭିଏମ୍‌

ନୂଆପଡ଼ା,୧୨ା୧୧ (ମକାରୁ ବେମାଲ)-ନୂଆପଡ଼ା ଉପନିର୍ବାଚନ ମଙ୍ଗଳବାର ଶାନ୍ତିଶୃଙ୍ଖଳାରେ ଶେଷ ହୋଇଯାଇଛି। ଆସନ୍ତା ୧୪ରେ ନୂଆପଡ଼ା ନ୍ୟାଶନାଲ କଲେଜରେ ଭୋଟ ଗଣତି ହେବ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତିହେବାକୁ ଥିବାବେଳେ ସାଢେ ୮ଟାରେ ଇଭିଏମ୍‌ ଖୋଲି ଗଣନା କରାଯିବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ମଧୁସୂଦନ ଦାଶ ଏହି ସୂଚନା ଦେଇଛନ୍ତି ା
ନିର୍ବାଚନମଣ୍ଡଳୀର ୩୫୮ ବୁଥ୍‌ ରହିଥିବାବେଳେ ୧୪ ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ। ଗୋଟିଏ କେନ୍ଦ୍ର ଟେବୁଲ ରହିବ। ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିବେ। ଜଣେ ଗଣତି ସହ ଅଧିକାରୀ, ଗଣତି ସୁପରଭାଇଜର ଓ ମାଇକ୍ରୋ ଅବଜର୍ଭର ନିଯୁକ୍ତ ହୋଇଛନ୍ତି। ସେହିପରି ଗଣତି ଅବଜର୍ଭର ଓ ନିର୍ବାଚନ ଅଧିକାରୀ ରହିବେ। ଗଣତି ଅବଜର୍ଭର ଗଣତି ପ୍ରକ୍ରିୟାକୁ ଅବଜର୍ଭ କରିବେ। ଭୋଟ ଗଣତି ସମୟରେ ନିୟୋଜିତ ଅଧିକାରୀମାନେ ହିଁ କେନ୍ଦ୍ରକୁ ଯିବେ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ଆବଶ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇ କଡ଼ା ସୁରକ୍ଷା ବଳୟରେ ଗଣତି ହେବ। ଉପନିର୍ବାଚନ ଫଳାଫଳ ଡାକବାଜି ଯନ୍ତ୍ର ମାଧ୍ୟମରେ ସାଧାରଣ ଲୋକେ ଜାଣିପାରିବେ ବୋଲି ଜିଲାପାଳ କହିଛନ୍ତି।
ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହେବା ପରେ ସମସ୍ତ ଇଭିଏମ୍‌ ସିଲ୍‌ କରାଯାଇ ନ୍ୟାଶନାଲ କଲେଜ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରଖାଯାଇଛି। ସେଠାରେ କେନ୍ଦ୍ରୀୟ ପୋଲିସ ଫୋର୍ସ ପହରା ଦେଉଛନ୍ତି ା ଚଳିତ ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ୮୩.୪୫% ମତଦାନ ହୋଇଛି। ନିର୍ବାଚନମଣ୍ଡଳୀରେ ମୋଟ ୨,୫୪,୪୯୭ ଭୋଟର ମଧ୍ୟରୁ ୨,୧୨,୩୮୫ ଭୋଟିଂ ହୋଇଛି। ମହିଳା ଭୋଟର ମୋଟ ୧,୨୯,୯୩୨ରୁ ୧,୦୮,୫୬୩ ଭୋଟିଂ ହୋଇଥିବା ବେଳେ ପୁରୁଷ ଭୋଟର ୧,୨୪,୫୪୪ରୁ ୧,୦୩,୮୧୭ ଜଣ ଭୋଟ ଦେଇ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି ା

 

Dharitri – Odisha’s No.1 Odia Daily