ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଏକ ଖୋଲା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆମେରିକା ହର୍ମୁଜ ପ୍ରଣାଳୀରେ ଅନୁପ୍ରବେଶ କରେ, ତେବେ ସମ୍ପୂର୍ଣ୍ଣ ଆରବ ଦେଶ ପାଉଁଶ ହୋଇଯିବ।
ଇରାନ କେବଳ ଚେତାବନୀ ଦେଇନାହିଁ, ବରଂ ଆମେରିକୀୟ ସେନାକୁ ଆଶ୍ରୟ ଦେଉଥିବା ଅରବ ଦେଶଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି। ସାଉଦି ଆରବର ପ୍ରିନ୍ସ ସୁଲତାନ ଏୟାର ବେସ ଉପରେ ବାଲିଷ୍ଟିକ ମିଶାଇଲ ମାଡ଼ କରି ଆମେରିକାର ଅନେକ ‘ବୋଇଙ୍ଗ KC-୧୩୫’ ଟ୍ୟାଙ୍କରକୁ ଧ୍ୱଂସ କରିଛି। କୁଏତ ଓ ଜର୍ଡାନରେ କୁଏତର ବୁବିୟାନ ଦ୍ୱୀପ ଏବଂ ଜର୍ଡାନର ମୁବଫକ ସାଲତି ଏୟାର ବେସ୍କୁ ମିଶାଇଲ ଆକ୍ରମଣ କରିଛିଇରାନ। ସେହିଭଳି ଇରାକର ବାଗଦାଦରେ ଥିବା ଆମେରିକୀୟ ‘କ୍ୟାମ୍ପ ଭିକ୍ଟୋରିଆ’ ମଧ୍ୟ ଇରାନ ଆକ୍ରମଣରେ ଛାରଖାର ହୋଇଯାଇଛି।
କେବଳ ସେତିକି ନୁହେଁ ଆମେରିକାର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଇରାନ ଆରବ ଦେଶର ତୈଳ ଭଣ୍ଡାରଗୁଡ଼ିକୁ ଟାର୍ଗେଟ କରିଛି। ସାଉଦି ଆରବରେ ବିଶ୍ୱର ସବୁଠାରୁ ବଡ଼ ତୈଳ ପ୍ଲାଣ୍ଟ ‘ଅବକୈକ’ ଏବଂ ‘ରାସ ତନୁରା’ ରିଫାଇନାରୀ, କୁଏତର ଅଲ-ଅହମ୍ମଦୀ ପୋର୍ଟ ଏବଂ ରିଫାଇନାରୀ, UAEର ଦାସ ଦ୍ୱୀପ ଏବଂ ରୁୱାଇସ ରିଫାଇନାରୀ, ଇରାକର ବସରା ତୈଳ ଟର୍ମିନାଲ ଉପରେ ଆକ୍ରମଣ କରାଯାଇଛି।
ଇରାନ ପାଖରେ ଏପରି କିଛି ଅସ୍ତ୍ର ଅଛି ଯାହା ଆମେରିକାର ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେବାରେ ସକ୍ଷମ ହେଉଛି। ଶାହେଦ-୧୩୬ ଡ୍ରୋନ, ହୋଭେଜେହ କ୍ରୁଜ ମିସାଇଲ, ଫତେହ ହାଇପରସୋନିକ ମିସାଇଲ ଆଦି ଦ୍ରୁତ ଗତିରେ ଆକ୍ରମଣ କରିବାରେ ଏହା ସିଦ୍ଧହସ୍ତ।
ଅପରପକ୍ଷେ ଆମେରିକା ମଧ୍ୟ ପଛକୁ ହଟିନାହିଁ। ପେଣ୍ଟାଗନ ଏହାର ଶକ୍ତିଶାଳୀ ଜଙ୍ଗୀ ଜାହାଜ USS ତ୍ରିପୋଲିକୁ ସମୁଦ୍ରକୁଓହ୍ଲାଇଛି। ଏଥିରେ ୨୫୦୦ ମେରାଇନ୍ କମାଣ୍ଡୋଙ୍କ ସହ F-୩୫B ଫାଇଟର ଜେଟ ମୁତୟନ ଅଛନ୍ତି। ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ, ଏହି ଯୁଦ୍ଧ ମାସ ମାସ ନୁହେଁ ବରଂ ମାତ୍ର କିଛି ସପ୍ତାହ ମଧ୍ୟରେ ଶେଷ ହେବ। ସ୍ଥିତି ଯେଉଁଭଳି ଭୟଙ୍କର ହେଉଛି, କୂଟନୀତିର ସମୟ ଶେଷ ହେଲା ଭଳି ମନେହେଉଛି। ଯଦି ଯୁଦ୍ଧ ଆରମ୍ଭ ହୁଏ, ତେବେ ଏହା କେବଳ ମଧ୍ୟପ୍ରାଚ୍ୟ ନୁହେଁ ବରଂ ସମଗ୍ର ବିଶ୍ୱ ଅର୍ଥନୀତିକୁ ପୋଡ଼ି ପାଉଁଶ କରିଦେବାର କ୍ଷମତା ରଖିଥିବା ନେଇ ଚର୍ଚ୍ଚା ଜୋର ଧରିଛି।
Dharitri – Odisha’s No.1 Odia Daily