ଦିଗପହଣ୍ଡି ସହରର ବିକାଶ ପାଇଁ କାଉନସିଲରଙ୍କ ୮ ଦଫା ଦାବିପତ୍ର: ଜଳବନ୍ଦୀ- ପାନୀୟ ଜଳ ସମସ୍ୟା ଉପରେ…

ଦିଗପହଣ୍ଡି, ୧୨।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବହୁବିଧ ବିକାଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୧ ନମ୍ବର ୱାର୍ଡ କାଉନସିଲର ଜ୍ୟୋସ୍ନା ଜେନା ଏବଂ ତାଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ଜେନା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ଏକ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
କାଉନସିଲରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ପ୍ରମୁଖ ଦାବିଗୁଡ଼ିକ  ମଧ୍ୟରେ ଜଳବନ୍ଦୀ ସମସ୍ୟା, ପାନୀୟ ଜଳ, ସାମାଜିକ ସୁରକ୍ଷା, ପରିମଳ ବ୍ୟବସ୍ଥା ଆଦି ରହିଛି। ୩ ନଂ ୱାର୍ଡର ଗୁପ୍ତେଶ୍ୱର ମନ୍ଦିର ରୋଡ୍‌ରୁ ଫୁଲସୁନ୍ଦରୀ ମନ୍ଦିର ମଧ୍ୟବର୍ତ୍ତୀ ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷା ଦିନେ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟାର ସ୍ଥାୟୀ ପ୍ରତିକାର ଦାବି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୁଣା ବସଷ୍ଟାଣ୍ଡରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ ସ୍ଥାପନ ଏବଂ ର୍ନିମାଣାଧୀନ ଓଭରହେଡ ଟାଙ୍କିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଓ ନୂତନ ରାସନ କାର୍ଯ୍ୟ ଯୋଗାଇଦେବା ସହ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ, ସହରର ସମସ୍ତ ସାହିରେ ନିୟମିତ ବ୍ଲିଚିଂ, ଫିନାଇଲ ପକାଇବା ଏବଂ ଟିଫା ମେସିନ ସାହାଯ୍ୟରେ ମଶା ଧୂଆଁ ଛାଡ଼ିବା ସହ ୧୧ ନଂ ୱାର୍ଡ ପନ୍ଦରା ସାହି କୂଅରେ ଟ୍ୟୁବେଲ ସଂଯୋଗ ଏବଂ ଏନ୍‌ଏସି ଅଫିସ ଲେନରେ ସ୍ମାର୍ଟ ପରିଶ୍ରାଗାର ନିର୍ମାଣ ଆଦି ରହିଛି।
ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର କହିଛନ୍ତି ଯେ, ବୁଧବାର ରାତିରେ ସେ ଦାବିପତ୍ର ଗ୍ରହଣ କରିଛନ୍ତି ଏବଂ ଏହା ଉପରେ କାର୍ଯ୍ୟାଳୟ ସ୍ତରରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ। ଅପରପକ୍ଷରେ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା  ସୂଚନା ଦେଇଛନ୍ତି ଯେ ସହର ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି। ଐତିହ୍ୟ ସମ୍ପନ୍ନ ବଡ଼ବନ୍ଧ ପୋଖରୀର ବିକାଶ ପାଇଁ ସରକାର ଅନୁଦାନ ମଞ୍ଜୁର କରିଛନ୍ତି। ଗୁରୁବାରଠାରୁ ପୋଖରୀରୁ ଦୂଷିତ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର ଏହାର ଟେଣ୍ଡର ପ୍ରକାଶ ପାଇବ। ଏଥିଲାଗି ସହରର ସର୍ବାଙ୍ଗୀନ ବିକାଶ ପାଇଁ ସେ ସମସ୍ତ କାଉନସିଲର ଓ ଜନସାଧାରଣଙ୍କ ସହଯୋଗ ସେ କାମନା କରିଛନ୍ତି।
Dharitri – Odisha’s No.1 Odia Daily

Share