ଅମ୍ବାଭୋନାରେ ଚାଲିଥିଲା କଫ୍‌ସିରଫ କାରବାର, ମାଡ଼ି ବସିଲା ଅବକାରୀ ଟିମ୍‌

ବରଗଡ଼,୧୧।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ଚାଲିଥିବା ବେଆଇନ କଫସିରପ କାରବାର ଉପରେ ଅବକାରୀ ବିଭାଗ ଶକ୍ତ ପ୍ରହାର କରିଛି। ବୁଧବାର ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର କଫ ସିରପ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଅମ୍ବାଭୋନା ଅଞ୍ଚଳରେ ବେଆଇନ ଭାବେ କଫସିରପ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନାକୁ ଭିତ୍ତି କରି ବିଭାଗୀୟ ଟିମ ଚଢ଼ାଉ କରି ଭୁକ୍ତା ଗ୍ରାମର ଚକ୍ରଧର ସାହଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ୩୦ ବୋତଲ ବେଆଇନ କଫ ସିରପ ଜବତ କରାଯାଇଛି।
ଅବକାରୀ ବିଭାଗ ଅଭିଯୁକ୍ତ ଚକ୍ରଧରଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି କାରବାର ପଛରେ ଆଉ କାହାର ହାତ ରହିଛି ଏବଂ ଏହି ସିରପ କେଉଁଠାରୁ ଅଣାଯାଉଥିଲା, ସେ ନେଇ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଜିଲାରେ ନିଶା କାରବାର ରୋକିବା ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

Dharitri – Odisha’s No.1 Odia Daily

Share