ଧୋନୀଙ୍କ ସହ ପୁରା ଚେନ୍ନାଇ ଦଳର ଆଉଥରେ ହେଲା କରୋନା ଟେଷ୍ଟ

ଦୁବାଇ, ୧।୯: ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌-୧୩ ଲାଗି ଏପର୍ଯ୍ୟନ୍ତ ଅଭ୍ୟାସ ଆରମ୍ଭ କରିପାରି ନ ଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) କ୍ୟାମ୍ପ୍‌ରୁ ବଡ଼ ଖବର ଆସିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ କରୋନା ଟେଷ୍ଟ ହୋଇଛି। ଏଥିସହ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ଚେନ୍ନାଇର ୧୩ଜଣ ସଦସ୍ୟଙ୍କ କରୋନା ରିପୋର୍ଟ ନିକଟରେ ପଜିଟିଭ ଆସିଥିଲା। ଏହାପରେ ଦଳର କ୍ୱାରାଣ୍ଟାଇନ ଅବଧି ବଢ଼ାଇ ଦିଆଯାଇଥିଲା। କିନ୍ତୁ ସଦ୍ୟତମ ଟେଷ୍ଟରେ ଦଳର ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି। ଅର୍ଥାତ୍‌ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ଦୀପକ ଚହର ଓ ରୁତୁରାଜ ଗାଏକ୍ୱାଡ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ସୁପର୍‌ କିଙ୍ଗ୍ସର ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ଦଳ ବର୍ତ୍ତମାନ ଅଭ୍ୟାସ କରିବା ଲାଗି ରାସ୍ତା ସଫା ହୋଇନାହିଁ। ଗୁରୁବାର ପୁଣିଥରେ ଚେନ୍ନାଇର ସମସ୍ତ ଖେଳାଳି ଓ ଷ୍ଟାଫ୍‌ଙ୍କ କରୋନା ଟେଷ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି। ଯଦି ଧୋନୀଙ୍କ ସମେତ ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିବ ତାହାଲେ ସେମାନଙ୍କୁ ଅଭ୍ୟାସ କରିବା ଲାଗି ସବୁଜ ସଙ୍କେତ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।