ଇଟାଓ୍ବା ଜେଲରେ କରୋନା ଆତଙ୍କ: ୩୦ କଏଦୀ ଆକ୍ରାନ୍ତ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଜେଲ୍‌ରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଜେଲ୍‌ର ୩୦ ଜଣ କଏଦୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଯୋଗୁ ପୋଲିସ ବାହିନୀ ସମେତ ଅନ୍ୟ ସୁରକ୍ଷାକର୍ମୀ ବିଭିନ୍ନ ଅଞ୍ଚଳରେ ମୁତୟନ ହୋଇଛନ୍ତି। ତେଣୁ ସୁରକ୍ଷାକର୍ମୀଙ୍କ ଅଭାବ ଯୋଗୁ ଆକ୍ରାନ୍ତ କଏଦୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରିନାହିଁ। ଜେଲରେ ଅଲଗା ରଖାଯାଇ ଚିକିତ୍ସା କରାଯାଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଇଟାଓ୍ବା ଜେଲ୍‌ର କ୍ଷମତା ୭୦୦ ଥିବାବେଳେ ଏଠାରେ ୧୭୦୦ କଏଦୀଙ୍କୁ ରଖାଯାଇଛି। ଏବେ କରୋନା ସଂକ୍ରମଣ ହୋଇଥିବାରୁ ଅନ୍ୟ କଏଦୀଙ୍କୁ କିଭଳି ଦୂରେଇ ରଖାଯିବ ସେ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିବାରେ ଲାଗିଛି।