ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଗତ ଚାରି ମାସ ମଧ୍ୟରେ ସର୍ବାଧିକ। ନଭେମ୍ବର ମାସରେ ଏହି ହାର ୨.୧ ପ୍ରତିଶତ ରହିଥିଲା।

ସରକାରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଶେଷ କରି ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି। ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ସିମେଣ୍ଟ ଉତ୍ପାଦନରେ ୧୩.୫% ଏବଂ ଇସ୍ପାତ ଉତ୍ପାଦନରେ ୬.୯% ବୃଦ୍ଧି ଘଟିଛି। ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ୫.୩ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି, ଯାହା ଗତ ୯ ମାସ ମଧ୍ୟରେ ଦ୍ରୁତତମ। କୋଇଲା ଉତ୍ପାଦନରେ ମଧ୍ୟ ୩.୬ ପ୍ରତିଶତର ସୁଧାର ଆସିଛି।

ଅନ୍ୟପଟେ, ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ହ୍ରାସ ଜାରି ରହିଛି। ଅଶୋଧିତ ତୈଳ ଉତ୍ପାଦନ ୫.୬% ଏବଂ ପ୍ରାକୃତିକ ଗ୍ୟାସ ୪.୪% ହ୍ରାସ ପାଇଛି। ରିଫାଇନାରୀ ଉତ୍ପାଦନ ମଧ୍ୟ ୧ ପ୍ରତିଶତ କମିଛି।

ସୂଚନାଯୋଗ୍ୟ ଯେ, କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି ୮ଟି କ୍ଷେତ୍ର ଦେଶର ମୋଟ ଶିଳ୍ପାୟନ ସୂଚକାଙ୍କ (IIP) ର ପ୍ରାୟ ୪୦ ପ୍ରତିଶତ ଅଂଶ ଗ୍ରହଣ କରିଥାଏ। ଡିସେମ୍ବର ମାସର ଏହି ସକାରାତ୍ମକ ଫଳାଫଳ ଆଗାମୀ ଦିନରେ ଦେଶର ଶିଳ୍ପ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିବ ବୋଲି ଆଶା କରାଯାଉଛି।