କେନ୍ଦୁଝର/ହାଟଡିହୀ,୨୪l୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନିଲମ୍ବନ ଆଦେଶ ଘଟଣାରେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆବେଦନକାରୀ ୨୪ ଅକ୍ଟୋବର ୨୦୨୫ରେ ରାଜ୍ୟ ସମବାୟ ବିଭାଗରେ ଜବାବ ଦାଖଲ କରିଛନ୍ତି । ଆବେଦନକାରୀ ଦେବପ୍ରିୟ ପାତ୍ର ଏବଂ ଗୋଲାପ ନାଏକ ମେଲ ଜରିଆରେ ସମ୍ପୃକ୍ତ ଘଟଣା ସମ୍ପର୍କିତ ଜବାବ ଦାଖଲ କରିଥିବା ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ,ବ୍ୟାଙ୍କର ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହେବା ପରେ ତଦନ୍ତ ରିପୋର୍ଟ ଆଧାରରେ ଜବାବ ଦାଖଲ ପାଇଁ ବ୍ୟାଙ୍କ ପରିଚାଳନା ସମିତିକୁ ନୋଟିସ ଜାରି ହୋଇଥିଲା।ଘଟଣାର ଶୁଣାଣି ପାଇଁ ଗତ ୧୪ ଅକ୍ଟୋବର ୨୦୨୫କୁ ଦିନ ଧାର୍ଯ୍ୟ ହୋଇ ପରଦିନ ଗତ ୧୫ ଅକ୍ଟୋବର ୨୦୨୫ରେ ଓଡିଶା ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ ପରିଚାଳନା ସମିତିକୁ ନିଲମ୍ବନ କରାଯିବା ନେଇ ଆଦେଶ ଜାରି କରିଥିଲେ।ମାତ୍ର ନିଲମ୍ବନ ଆଦେଶ ପୂର୍ବରୁ ତଦନ୍ତ ରିପୋର୍ଟକୁ ବିରୋଧ କରି ପ୍ରଥମେ ହାଇକୋର୍ଟରେ ମାମଲା ଦାୟର ହୋଇ ନିର୍ଦ୍ଦେଶ ଜାରି ହୋଇଥିଲା। ହାଇକୋର୍ଟ ୧୪ ଅକ୍ଟୋବର ୨୦୨୫ ରେ ଜବାବ ଦାଖଲ ହୋଇ ନ ଥିଲେ ଆସନ୍ତା ୨୫ ଅକ୍ଟୋବର ୨୦୨୫ କିମ୍ବା ପୂର୍ବରୁ ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ।ଏଥିସହ ୧୫ ନଭେମ୍ବର ୨୦୨୫ କିମ୍ବା ପୂର୍ବରୁ ସମ୍ପୃକ୍ତ ଘଟଣା ଦିଗରେ ଆଇନଗତ ନିଷ୍ପତ୍ତି ନେବା ସହ ୧୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ। ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଉଛି ନିଲମ୍ବନ ଆଦେଶ ପରେ କେନ୍ଦୁଝର ଜିଲାପାଳ ଗତ ୧୫ ଅକ୍ଟୋବର ୨୦୨୫ରେ ପରିଚାଳନା ସମିତିର ପ୍ରଶାସକ ଭାବେ ଦାୟିତ୍ୱ ନେଇଛନ୍ତି।
ଅପର ପକ୍ଷେ ନିଲମ୍ବନ ଆଦେଶ ଉପରେ ପୁନଶ୍ଚ ଦାୟର ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ୨୩ ଅକ୍ଟୋବର ୨୦୨୫ରେ ଜାରି କରିଥିବା ସ୍ଥଗିତାଦେଶ ବଳବତ୍ତର ରହିଛି।
Dharitri – Odisha’s No.1 Odia Daily