ମ୍ୟାଚ୍‌ ଆରମ୍ଭ ପୂର୍ବରୁ ବଡ଼ ରେକର୍ଡ କରିଦେଲେ ଏହି ୨୧ ବର୍ଷୀୟ କ୍ରିକେଟର୍‌

ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିୟ ଖେଳାଳି କୁପର କନୋଲି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି।
କନୋଲି ଆଇସିସି ଏକଦିବସୀୟ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ଚତୁର୍ଥ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। କନୋଲି ୨୧ ବର୍ଷ ୧୯୪ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି। ଆଣ୍ଡ୍ରୁ ଜେସର୍ସ ଦିନିକିଆ ଟୁର୍ନାମେଣ୍ଟରେ ଦଳ ପାଇଁ ଖେଳିଥିବା ସବୁଠାରୁ କମ ବୟସ୍କ ଖେଳାଳି। ସେ ୧୯୮୭ ମସିହାରେ ଦିଲ୍ଲୀରେ ଭାରତ ବିପକ୍ଷରେ ଏକ ମ୍ୟାଚ ଖେଳିଥିଲେ। ସେତେବେଳେ ଜେସର୍ସଙ୍କ ବୟସ ୨୦ ବର୍ଷ ୨୨୫ ଦିନ ଥିଲା।

କନୋଲି ଭାରତ ବିପକ୍ଷରେ ଓପନିଂ କରିବାକୁ ଆସିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସେ ବିଶେଷ କିଛି କରିପାରିଲେ ନାହିଁ। କନୋଲି ୯ଟି ବଲ ଖେଳି ଶୂନ୍ୟରେ ଆଉଟ ହୋଇଥିଲେ। ସେ ଖାତା ମଧ୍ୟ ଖୋଲିପାରି ନ ଥିଲେ। କନୋଲିଙ୍କୁ ମହମ୍ମଦ ଶାମି ପାଭିଲିୟନର ରାସ୍ତା ଦେଖାଇଥିଲେ।

ଏଥର ଭାରତ ଚାମ୍ପିଅନ୍ସ ଟ୍ରଫିରେ ଲଗାତାର ତିନୋଟି ମ୍ୟାଚ ଜିତିଛି। ଭାରତ ବାଂଲାଦେଶ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।

ଆଇସିସି ଦିନିକିଆ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରୁଥିବା ସବୁଠାରୁ ଯୁବ ଖେଳାଳି

୨୦ ବର୍ଷ ୨୨୫ ଦିନ – ଆଣ୍ଡ୍ରୁ ଜେସର୍ସ ବନାମ ଭାରତ, ଦିଲ୍ଲୀ, ବିଶ୍ୱକପ ୧୯୮୭

୨୧ ବର୍ଷ ୬୬ ଦିନ – ରିକି ପଣ୍ଟିଂ ବନାମ କେନିଆ, ବିଶାଖାପାଟଣା, ବିଶ୍ୱକପ ୧୯୯୬

୨୧ ବର୍ଷ ୯୦ ଦିନ – ଶେନ ୱାଟସନ ବନାମ ନ୍ୟୁଜିଲାଣ୍ଡ, କଲମ୍ବୋ ଏସଏସସି, ଚାମ୍ପିଅନ୍ସ ଟ୍ରଫି ୨୦୦୨

୨୧ ବର୍ଷ ୧୯୪ ଦିନ – କୁପର କନୋଲି ବନାମ ଭାରତ, ଦୁବାଇ, ଚାମ୍ପିଅନ୍ସ ଟ୍ରଫି ୨୦୨୫

୨୧ ବର୍ଷ ୨୩୧ ଦିନ – ମିଚେଲ ମାର୍ଶ ବନାମ ଇଂଲଣ୍ଡ, ଏଜବାଷ୍ଟନ, ଚାମ୍ପିଅନ୍ସ ଟ୍ରଫି ୨୦୧୩

୨୧ ବର୍ଷ ୨୬୪ ଦିନ – ଷ୍ଟିଭେନ ସ୍ମିଥ ବନାମ ଜିମ୍ବାୱେ, ଅହମଦାବାଦ, ବିଶ୍ୱକପ ୨୦୧୧

Share