ରନ୍ଧନ ଗ୍ୟାସ ସଂକଟ: ଆହାର କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ମିଳୁ ଅତିରିକ୍ତ ଖାଦ୍ୟ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି। ଏହା ସାଧାରଣ ଜୀବନ ଜୀବିକାକୁ ମଧ୍ୟ ପ୍ରଭାବିତ କରିଛି। ଏଥିରୁ ସ୍କୁଲ, କଲେଜ ଛାତ୍ରୀଛାତ୍ର ବାଦ ପଡ଼ି ନାହାନ୍ତି। ବିଭିନ୍ନ ଛାତ୍ରାବାସ, ଛାତ୍ରୀ ନିବାସ ଏବଂ ଚ୍ୟାମ୍ବର ଗୁଡିକରେ ରହୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ରନ୍ଧନ ଗ୍ୟାସ ସଙ୍କଟ ଏକ ବଡ଼ ସମସ୍ୟା ହୋଇ ପଡିଛି। ରନ୍ଧନ ଗ୍ୟାସ ଅଭାବରୁ ରନ୍ଧାବଢା ପ୍ରଭାବିତ ହୋଇଥିବାରୁ ଛାତ୍ରୀଛାତ୍ରଙ୍କ ଚିନ୍ତା ବଢାଇ ଦେଇଛି। ଏହି କ୍ରମରେ ସୋମବାର ବରଗଡ଼ ଜିଲା ବିଜୁ ଛାତ୍ର ଜନତାର ଏକ ପ୍ରତିନିଧି ଦଳ ସ୍ଥାନୀୟ ପୌର ପରିଷଦ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁଙ୍କୁ ଫେରାଦ ହୋଇଛନ୍ତି। ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କ ପାଇଁ ଆହାର କେନ୍ଦ୍ରରେ ଅତିରିକ୍ତ ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ଦାବି କରି ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି କରି ସିକନ୍ଦରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ ପାଇଁ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇଥିଲେ।

Dharitri – Odisha’s No.1 Odia Daily

Share