ପାକିସ୍ତାନରେ ରନ୍ଧନ ଗ୍ୟାସ ସଙ୍କଟ, ପ୍ଲାଷ୍ଟିକ୍‌ ବ୍ୟାଗରେ ଗ୍ୟାସ ଭରୁଛନ୍ତି ଲୋକେ..

.ଇସଲାମାବାଦ,୧।୧ : ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଗୋଟିଏ ପଟେ ବୈଦେଶିକ ମୁଦ୍ରା ସଂରକ୍ଷଣର ଅଭାବ ରହିଛି ଏବଂ ଅନ୍ୟ ପଟେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯୋଗୁ ସଙ୍କଟରେ ପଡ଼ିଛନ୍ତି। ଲୋକମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇବାରେ ପାକିସ୍ତାନ ସରକାର ଅସଫଳ ପ୍ରମାଣିତ ହୋଇଛନ୍ତି। ଦେଶରେ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ସେଥିପାଇଁ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ପ୍ଲାଷ୍ଟିକ ବ୍ୟାଗରେ ରନ୍ଧନ ଗ୍ୟାସ (ଏଲପିଜି) ଭରିବାକୁ ବାଧ୍ୟ ହେଉଛନ୍ତି।

ପାକିସ୍ତାନର ଖାଇବର ପସ୍ତୁନଖ୍ବା ପ୍ରଦେଶରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଠାରେ ଲୋକମାନେ ଏଲପିଜି ସିଲିଣ୍ଡର ଉପଲବ୍ଧ ନ ଥିବାରୁ ପ୍ଲାଷ୍ଟିକ ବ୍ୟାଗରେ ଏଲପିଜି ଭରିବା, ସଂରକ୍ଷଣ ଏବଂ ବହନ କରିବାକୁ ବାଧ୍ୟ ହୋଇଛନ୍ତି। ଏହା ଭୟାନକ ହୋଇପାରେ କିନ୍ତୁ ଏହା ପାକିସ୍ତାନର ନୂଆ ବାସ୍ତବତା ।

ଏକ ପ୍ଲାଷ୍ଟିକ ବ୍ୟାଗରେ ତିନିରୁ ଚାରି କିଲୋଗ୍ରାମ ଗ୍ୟାସ ଭରିବାକୁ ପ୍ରାୟ ଏକ ଘଣ୍ଟା ଲାଗୁଛି। ଲୋକେ ପ୍ଲାଷ୍ଟିକ ବ୍ୟାଗରେ ତିନିରୁ ଚାରି କିଲୋଗ୍ରାମ ଗ୍ୟାସ ୫୦୦ରୁ ୯୦୦ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ଦେଶରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦ ହଜାର ପାକିସ୍ତାନୀ ଟଙ୍କା ରହିଛି।