Man in prison hands of behind hold Steel cage jail bars. offender criminal locked in jail.
ଲକ୍ଷ୍ନୌ, ୨୬।୨(ଆଇଏଏନ୍ଏସ୍):ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଜେଲ୍ରେ ୨୦ ବର୍ଷ କାଟିସାରିବା ପରେ ସେ ବଳାତ୍କାର ମାମଲାରେ ଭୁଲ୍ରେ ଦୋଷୀସାବ୍ୟସ୍ତ ହୋଇଥିଲେ ବୋଲି ଜଣାପଡ଼ିଛି। ଶେଷରେ ଆଲ୍ଲାହାବାଦ ହାଇକୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ଲଲିତପୁରର ବିଷ୍ଣୁ ଦିଓ୍ବାରୀ (୪୩)ଙ୍କୁ ଦୁଇ ଦଶନ୍ଧି ତଳେ ବଳାତ୍କାର ଅଭିଯୋଗ ଏବଂ ଏସ୍ସି/ଏସ୍ଟି ଆଇନରେ ଦୋଷୀସାବ୍ୟସ୍ତ କରାଯାଇ ଆଗ୍ରା ଜେଲ୍ ପଠାଇ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ତାଙ୍କର ମାଆବାପା ଓ ଦୁଇଭାଇଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଶେଷକୃତ୍ୟରେ ଯୋଗଦେବାକୁ ତାଙ୍କୁ ଛଡ଼ାଯାଇ ନ ଥିଲା।
ରିପୋର୍ଟ ଅନୁଯାୟୀ ୨୦୦୦ ସେପ୍ଟେମ୍ବରରେ ଲଲିତପୁର ଜିଲାର ଜଣେ ଦଳିତ ମହିଳା ବିଷ୍ଣୁଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ପୋଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬, ୫୦୬ ଏବଂ ଏସ୍ସି/ଏସ୍ଟି ଅତ୍ୟାଚାର ନିରୋଧୀ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ତାଙ୍କ ବିରୋଧରେ ରିପୋର୍ଟ ଦେବା ପରେ ସେସନ୍ସ କୋର୍ଟ ତାଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଥିଲେ। ଏହି ରାୟ ବିରୋଧରେ ବିଷ୍ଣୁ ୨୦୦୫ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୌଣସି କାରଣରୁ ଉକ୍ତ ଆବେଦନକୁ ଡିଫେକ୍ଟିଭ୍ ଦର୍ଶାଇ ୧୬ ବର୍ଷ ପକାଇ ରଖାଯାଇଥିଲା। ଶେଷରେ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ ଆଇନଜୀବୀ ଶ୍ୱେତା ସିଂ ରାଣାଙ୍କୁ ପ୍ରତିପକ୍ଷ ଓକିଲ ନିଯୁକ୍ତ କରିଥିଲେ। ଅଭିଯୁକ୍ତ ଭୁଲ୍ରେ ଦୋଷୀସାବ୍ୟସ୍ତ ହୋଇଥିବା ଜଷ୍ଟିସ୍ କୌଶଳ ଜୟେନ୍ଦ୍ର ଠାକର ଏବଂ ଗୌତମ ଚୌଧରୀଙ୍କୁ ନେଇ ଗଠିତ ହାଇକୋର୍ଟର ଖଣ୍ଡପୀଠ ଅନୁଭବ କରିବା ପରେ ବୁଧବାର ତଳକୋର୍ଟ ରାୟକୁ ଖାରଜ କରିଦେଇ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।