ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟକୁ କେନ୍ଦ୍ରକରି ଉତ୍ତେଜନା: ମୃତ ଶିଶୁକୁ ନେଇ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ଡାକ୍ତରଙ୍କ ମଧ୍ୟରେ ଦୋଷାରୋପ

ଯାଜପୁର ଟାଉନ,୩୧।୧(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ସହରରେ ଥିବା ଏହି ଡାଇଗ୍ନୋଷ୍ଟିକ୍‌ ସେଣ୍ଟରର ରିପୋର୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଣ୍ଡଗୋଳ ଓ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ପ୍ରସବ ମହିଳାଙ୍କ ମୃତ ଶିଶୁ ଜନ୍ମ ହେବାକୁ ନେଇ ଉଭୟ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ଡାକ୍ତରଙ୍କ ମଧ୍ୟରେ ପରସ୍ପରକୁ ଦୋଷାରୋପ କରାଯାଇଥିବା ଯାଜପୁର ଥାନାରେ ଲିଖିତ ଏତଲା ଦାଏର ହୋଇଛି।

ଅଭିଯୋଗ ମୁତାବକ, ଦଶରଥପୁର ଥାନା ମେରଦା ଅଞ୍ଚଳର ଏସ୍‌କେ ସୋନୱାଙ୍କ ସ୍ତ୍ରୀ ରିଜୱାନା ପରବିନ୍‌ ଗର୍ଭବତୀ ଥିବାବେଳେ ରୟାଲ ମେଡିକେୟାର ନସିର୍ଂହୋମ୍‌ରେ ଡାକ୍ତର ବିପିନ ବିହାରୀ ପଣ୍ଡାଙ୍କ ପାଖରେ ଚିକିତ୍ସିତ ହେଉଥିଲେ। ଗତ ୨୭ ତାରିଖରେ ରିଜ୍‌ୱାନାଙ୍କ ପ୍ରସବବେଦନା ହେବାରୁ ତାଙ୍କୁ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା।

୨୯ ତାରିଖରେ ଡାକ୍ତର ଅଲ୍‌ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେବାପରେ ସେକ୍‌ ସୋନୱା ତାଙ୍କ ସ୍ତ୍ରଙ୍କେ ନେଇ ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅଲ୍‌ଟ୍ରାସାଉଣ୍ଡ କରାଇଥିଲେ। ଅଲ୍‌ଟ୍ରାସାଉଣ୍ଡ ପରେ ଡାକ୍ତର ରିପୋର୍ଟ ଠିକ୍‌ଥିବାର କହିବାରୁ ନର୍ସିଂ ହୋମ୍‌ରେ ଆଡ୍‌ମିସନ୍‌ କରାଇଥିଲେ। ଏହାପରେ ରାତିପ୍ରାୟ ୧୧ଟା୩୦ରେ ଅପରେସନ୍‌ ପରେ ଏକ ମୃତ ସନ୍ତାନ ଜନ୍ମ ହୋଇଥିଲା।

ଏ ସବୁ ଠିକ୍‌ ଥିବାର କଥା ଡାକ୍ତର ପଣ୍ଡା କହିବା ପରେ କାହିଁକି ଶିଶୁ ମୃତ ଭାବେ ଜନ୍ମ ହେଲା ତା’କୁ ନେଇ ସୋନଓ୍ବା ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ସନ୍‌ଡାଇଗ୍ନୋଷ୍ଟିକ ସେଣ୍ଟର ରିପୋର୍ଟ ଭୁଲ୍‌ ଥିବା ଏବଂ ପିଲା ମା’ ପେଟରେ ପାଣି ଅଭାବରୁ ୨୪ ଘଣ୍ଟା ଆଗରୁ ମରିସାରିଛି ବୋଲି ଡାକ୍ତର କହିଥିଲେ। ଏକଥା ଶୁଣିବା ପରେ ରିଜୱାନାଙ୍କ ପରିବାର ସମ୍ପୃକ୍ତ ଡାଇଗ୍ନୋଷ୍ଟିକ ସେଣ୍ଟର କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ରିପୋର୍ଟ ସମ୍ପୂର୍ଣ୍ଣ ଠିକ୍‌ ଅଛି ଏବଂ ଡାକ୍ତର ପଣ୍ଡାଙ୍କ ଅବହେଳାରୁ ଶିଶୁ ମୃତ ହୋଇ ଜନ୍ମହେଲା ବୋଲି କହିଥିଲେ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସମ୍ପୃକ୍ତ ଡାଇଗ୍ନୋଷ୍ଟିକ ସେଣ୍ଟର ବନ୍ଦ କରି କର୍ମଚାରୀମାନେ କୁଆଡେ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ପ୍ରସବ ମହିଳା ରିଜ୍‌ୱାନା ପରବିନ୍‌ ଓ ପରିବାର ଲୋକେ ଡାଇଗ୍ନୋଷ୍ଟିକ ସେଣ୍ଟରରେ ହୋହଲ୍ଲା କରିବା ସହ ଏହାକୁ ବନ୍ଦ କରି ଧାରଣା ଦେଇଥିଲେ। ଯାଜପୁର ପୋଲିସ ପହଞ୍ଚି ଉତ୍ତେଜନାକୁ ପ୍ରସମିତ କରିଥିଲା। ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ସମ୍ପୃକ୍ତ ଡାକ୍ତର ଓ ନିର୍ସିଂହୋମ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Share