ସାମ୍ପ୍ରତିକ ରାଜନୀତି ଓ ଯୁବପିଢ଼ି

ସାମ୍ପ୍ରତିକ ରାଜନୀତିରେ ଦୁଇ ପ୍ରକାର ଯୁବଗୋଷ୍ଠୀଙ୍କୁ ଦେଖିବାକୁ ମିଳେ। ଗୋଟିଏ ହେଲେ ସୌଖୀନ ନେତା ଓ ଅନ୍ୟଟି ହେଲେ ଅପରାଧ ଘଟାଇବା ପାଇଁ ପ୍ରାୟୋଜିତ ନେତା। ପ୍ରଥମ ଗୋଷ୍ଠୀ ରାଜନୈତିକ ପରିବାରରୁ ଆସିଥିବା ବେଳେ ଦ୍ୱିତୀୟ ଗୋଷ୍ଠୀ କିଛି ଛାତ୍ରନେତା ଏବଂ ପ୍ରଭାବଶାଳୀ ରାଜନେତାଙ୍କ ପୃଷ୍ଠପୋଷକତାରୁ ସୃଷ୍ଟି। ଏହା ସତ୍ତ୍ୱେ ବି ରାଜନୀତିରେ ଯୁବକଙ୍କ ପ୍ରତିନିଧିତ୍ୱ ଗୌଣ। ଭାରତ ପୃଥିବୀର ସବୁଠାରୁ ଯୁବକ ରାଷ୍ଟ୍ର। କିନ୍ତୁ ଏମାନଙ୍କର ରାଜନୀତିରେ ପ୍ରତିନିଧିତ୍ୱ ନିମ୍ନ। ନିର୍ବାଚନରେ ବୟସ୍କଙ୍କ ତୁଳନାରେ ଯୁବ ପ୍ରତିନିଧିତ୍ୱ କମିବାରେ ଲାଗିଛି। ୧୯୫୨-୫୭ ଲୋକ ସଭାରେ ଯୁବ ପ୍ରତିନିଧିତ୍ୱ ଶତକଡ଼ା ୨୨.୨୫ସହିତ ୧୩୮ ଜଣ ୪୦ ବର୍ଷରୁ କମ୍‌ ବୟସ୍କ ଏମ୍‌ପି ଥିବାବେଳେ ୨୦୨୪ ଲୋକ ସଭାରେ ଏହା କେବଳ ୧୦.୬୮ ଶତକଡା ଅଥାତ୍‌ କେବଳ ୪୧ ଜଣ ଯୁବ ଏମ୍‌ପି ଅଛନ୍ତି। ଅନ୍ୟ ପକ୍ଷରେ ୭୧ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏମ୍‌ପି ପ୍ରଥମ ଲୋକ ସଭାରେ ୧୪ ଜଣ ଥିବାବେଳେ ୨୦୨୪ଲୋକ ସଭାରେ ଏହା ୨୦୮କୁ ପହଞ୍ଚତ୍ଛି। ପ୍ରଥମ ଲୋକ ସଭାରେ ଏମ୍‌ପିଙ୍କ ହାରାହାରି ବୟସ ୪୬.୫ ଥିବା ବେଳେ ୨୦୨୪ରେ ଏହା ୫୫.୬ରେ ପହଞ୍ଚତ୍ଛି।
ସମ୍ପ୍ରତି କମ୍‌ ଯୁବନେତା ସାମାଜିକ ପରିବର୍ତ୍ତନ ପାଇଁ କାମକରୁଛନ୍ତି। ଏହି ନିରୁତ୍ସାହିତ ସ୍ଥିତି କେବଳ ନିର୍ଦ୍ଦିଷ୍ଟ କେତୋଟି କାରଣ ପାଇଁ ଭାରତୀୟ ରାଜନୀତିରେ ପ୍ରତିଫଳିତ ହୋଇଥାଏ। ପ୍ରଥମତଃ ଯୁବପିଢ଼ି ସକ୍ରିୟ ରାଜନୀତି ପ୍ରତି ଆକୃଷ୍ଟ ନ ହେବା। ଜାତିଗତ ସଂରକ୍ଷଣ, ନିର୍ଭୟା କେସ୍‌ ତଥା ଦୁର୍ନୀତିମୁକ୍ତ ଭାରତ ପାଇଁ ଆନ୍ନା ହଜାରେଙ୍କ ବିଶାଳ ସମାବେଶ ଭଳି ସମ୍ବେଦନଶୀଳ ବିଷୟରେ ଯୁବକଙ୍କ ଭୂମିକା ଏ ଦେଶ ଦେଖିଛି। କିନ୍ତୁ ବର୍ତ୍ତମାନ ସେତିକି ମାତ୍ରାରେ ଯୁବଶକ୍ତିର ପ୍ରଦର୍ଶନ ହୋଇ ପାରୁ ନାହିଁ। ଦେଶ ଓ ସମାଜ କେଉଁଭଳି ପରିସ୍ଥିତି ଏବଂ ସମସ୍ୟାର ସମ୍ମୁଖୀନ ହେଉଛି ତାହା ଯୁବକଙ୍କୁ ଅଜଣା ନୁହେଁ। ତେଣୁ ସେମାନଙ୍କୁ ସୁଯୋଗ ଦିଆଗଲେ ରାଜନୈତିକ ପରିବେଶକୁ ବଦଳାଇ ରାଜନୀତିକୁ ଏକ ନୂତନ ସମୀକରଣ ଦେଇ ପାରନ୍ତେ।
ଦ୍ୱିତୀୟ କାରଣଟି ହେଉଛି ରାଜନୈତିକ ଦଳର ବରିଷ୍ଠ ସଦସ୍ୟମାନେ ଯୁବକଙ୍କୁ ସୁଯୋଗ ଦେବା ପାଇଁ କୁଣ୍ଠାବୋଧ କରିବା। ରାଜନୈତିକ ଦଳଗୁଡ଼ିକରେ ଅତ୍ୟଧିକ କ୍ଷମତାଲୋଭ ଯୋଗୁ ଯୁବକମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ବରିଷ୍ଠମାନେ ଏ ବିଷୟରେ ହୃଦୟଙ୍ଗମକରି ଯୁବକଙ୍କୁ ସୁଯୋଗ ଦେବା ଉଚିତ। ତୃତୀୟଟି ହେଉଛି ବାପା-ମା’ମାନେ ନିଜ ସନ୍ତାନଙ୍କୁ ନିଜର ପାରମ୍ପରିକ ବ୍ୟବସାୟରେ ନିୟୋଜନ। ବର୍ତ୍ତମାନର ରାଜନେତାମାନେ ନିଜର କଳୁଷିତ ରାଜନୀତି ପାଇଁ ବିଶ୍ୱାସ ହରାଉଛନ୍ତି। ତେଣୁ ବାପା-ମା’ମାନେ ନିଜର ଉଚ୍ଚ ଶିକ୍ଷିତ ପୁଅ-ଝିଅମାନଙ୍କୁ ରାଜନୀତିରେ ଭାଗନେବାକୁ ଉତ୍ସାହିତ କରୁନାହାନ୍ତି। ଏତଦ୍‌ଭିନ୍ନ ତଥାକଥିତ ରାଜନୀତିରେ ଉଚ୍ଚ ଶିକ୍ଷିତମାନଙ୍କର ଆବଶ୍ୟକତା ନାହିଁ।
ଚତୁର୍ଥ କାରଣଟି ଗ୍ରାମାଞ୍ଚଳରେ ଯୁବକମାନେ ରାଜନୀତିକୁ ଏକ ଲାଭଜନକ ବ୍ୟବସାୟ ଭାବରେ ଦେଖୁଛନ୍ତି। ନେତାମାନେ ଯୁବକଙ୍କୁ ଆୟୁଧ କରି ରାଜନୀତିରେ ଲାଭ ହାସଲ କରୁଛନ୍ତି। ଯୁବକମାନଙ୍କୁ କେବଳ ଭୋଟ ପ୍ରଚାର, ବିଭିନ୍ନ ଉନ୍ନୟନମୂଳକ କାମର ଠିକା ଏବଂ ରାଜନୈତିକ ଦଳଗୁଡ଼ିକର ଦଳୀୟ କାର୍ଯ୍ୟକ୍ରମରେ ଲୋକ ଯୋଗାଡ଼ ଏବଂ ଦଳ ପାଇଁ ପାଣ୍ଠି ସଂଗ୍ରହରେ ବ୍ୟବହାର କରନ୍ତି। ପଞ୍ଚମ କାରଣଟି ହେଲା ଯୁବପିଢ଼ି ସମାଜ ଅପେକ୍ଷା ନିଜ ଜୀବିକା କଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଏହା ସ୍ବାଭାବିକ ମଧ୍ୟ। ପରିବାର ଏବଂ ନିଜର ପ୍ରତିପୋଷଣ ଏମାନଙ୍କ ପାଇଁ ଏବେ ଏକ ମୌଳିକ ଆବଶ୍ୟକତା, ଯାହା ପାଇଁ ଏମାନେ ସବୁବେଳେ ସଂଗ୍ରାମରତ। ଏ ସ୍ଥିତିରେ ଯୁବକଙ୍କୁ ରାଜନୀତି ଆଡ଼କୁ ଆକୃଷ୍ଟ କରିବା ଏକ ଆହ୍ବାନ।
ରାଜନୀତିରେ ବି ଅବସର ବୟସ ସୀମା ନିର୍ଦ୍ଧାରଣ ହେବା ବାଞ୍ଛନୀୟ। ତତ୍‌ ସହିତ ଶିକ୍ଷାଗତ ଯୋଗ୍ୟତା ମାପକାଠି ହେବା ଜରୁରୀ। ଅପରାଧରେ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ। ଆମ ଦେଶର ଗଣତନ୍ତ୍ର ବ୍ୟବସ୍ଥା ଏପରି ଯେ ଯେଉଁଠାରେ ୪୦ ବର୍ଷରୁ କମ୍‌ ଯୁବପିଢି ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କ୍ଷମତାରେ ବସାଇବା ପାଇଁ ବାଛୁଛନ୍ତି। ଯୁବକମାନେ ପ୍ରକୃତରେ ଏଥିରେ ସନ୍ତୁଷ୍ଟ କି ? ଯୁବକମାନଙ୍କୁ ରାଜନୀତିରେ ପ୍ରବେଶ ନିମିତ୍ତ ସରକାରୀ ସ୍ତରରେ ପ୍ରୟାସ ପ୍ରତୀୟମାନ ହୁଏ ନାହିଁ। ୨୦୧୩ର ଓଡ଼ିଶା ରାଜ୍ୟ ଯୁବନୀତି ହେଉ ଅବା ୨୦୧୪ ଜାତୀୟ ଯୁବନୀତି ହେଉ କେଉଁଥିରେ ବି ଯୁବକଙ୍କୁ ରାଜନୀତିରେ ପ୍ରବେଶର ସୁଯୋଗ ପାଇଁ ବ୍ୟବସ୍ଥା ନାହିଁ। ରାଜ୍ୟ ଯୁବନୀତିରେ ଯୁବକଙ୍କୁ କେବଳ ଗୋଷ୍ଠୀରେ ନିୟୋଜନ ଏବଂ ନିସ୍ପତ୍ତିନେବା ପ୍ରକ୍ରିୟାରେ ଉତ୍ସାହିତ କରିବା କଥା କୁହାଯାଇଥିବା ବେଳେ ଜାତୀୟ ଯୁବନୀତିରେ ସହରାଞ୍ଚଳ ରାଜନୀତି ଏବଂ ରାଜନୈତିକ ବ୍ୟବସ୍ଥା ବାହାରେ ନିୟୋଜନ କଥା କୁହାଯାଇଛି। ଏଥିରୁ ପ୍ରତୀୟମାନ ହେଉଛି ଯେ ରାଜ୍ୟସ୍ତରରେ ହେଉ କିମ୍ବା ଜାତୀୟ ସ୍ତରରେ ନୀତି ପ୍ରଣୟନ କରୁଥିବା ରାଜନେତାମାନେ ଯୁବକଙ୍କୁ ରାଜନୀତିରେ ପ୍ରବେଶର ପଥ ଓଗାଳୁଛନ୍ତି।
ଯୁବକର ମନ ସବୁବେଳେ ଭିନ୍ନ ତଥା ଅଭିନବ ଚିନ୍ତାଧାରା ଓ ଆଦର୍ଶରେ ଅନୁପ୍ରାଣୀତ ହୋଇଥାଏ। ସେମାନଙ୍କୁ ରାଜନୀତିରେ ଭାଗୀଦାରିତା ବଢ଼ାଇବାକୁ ହେଲେ ଏବଂ ତାଙ୍କ ସ୍ବରକୁ ଉପଯୁକ୍ତ ମାର୍ଗଦର୍ଶନ ଦେବାକୁ ହେଲେ ରାଜନୈତିକ ପରିବେଶ ବ୍ୟାପକ କରିବା ସଙ୍ଗେ ସଙ୍ଗେ ଆହୁରି ଖୋଲାରଖିବାକୁ ପଡ଼ିବ। ଯୁବକମାନେ ରାଜନୀତିରେ ସକ୍ରିୟ ଭାବରେ ହେଉ ଅଥବା ବିଭିନ୍ନ ସାମାଜିକ ସମସ୍ୟା ଉତ୍ଥାପନ ଭାବରେ ହେଉ କିମ୍ବା ଚାପ ସୃଷ୍ଟିକାରୀ ଦଳ ଭାବରେ ହେଉ ଜଡ଼ିତ ହେଲେ ହିଁ ଅନେକ ସାମାଜିକ ସମସ୍ୟା ସମାଧାନ ହୋଇପାରିବ ଏବଂ ଏହା ଆଗାମୀ ପିଢ଼ି ପାଇଁ ଏକ ସ୍ଥାୟୀ ପ୍ରତିକାର ଦେଇପାରିବ। କାରଣ ଯୁବକଙ୍କ ପାଖରେ ହିଁ ଉତ୍ସାହ, ଉଦ୍ଦୀପନା ଏବଂ ସାହସ ଅଛି ।
ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ପାଇଁ ଗୋଷ୍ଠୀ ଗଠନ ଏବଂ ଯୁବସଂସଦ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇ ପାରିବ। ଯୁବ ସଂସଦ ଏପରି ଏକ ମାଧ୍ୟମ ଯେଉଁଥିରେ ୧୧ରୁ ୧୮ବର୍ଷର ଯୁବକମାନେ ସାମାଜିକ ପରିବର୍ତ୍ତନ ପାଇଁ ସମାସ୍ୟା ଉତ୍ଥାପନ କରିପାରିବେ। ଏହା ସମସ୍ତଙ୍କ ପାଇଁ ଗ୍ରହଣୀୟ ଏବଂ ଉତ୍ସାହକାରୀ ମଧ୍ୟ ଏବଂ ଏହା ଯୁବକମାନଙ୍କୁ ପରବର୍ତ୍ତୀ ରାଜନୀତିରେ ପ୍ରବେଶ ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବ। ଯୁବକମାନେ ଲୋକଙ୍କୁ ଶିକ୍ଷା ଦେବାରେ, ବିଭିନ୍ନ ସାମାଜିକ କଳଙ୍କ ଦୂରକରିବା ପାଇଁ ଜନ ସଚେତନତା ସୃଷ୍ଟି କରିବାରେ ଏବଂ ସମସ୍ୟା ଉତ୍ଥାପନ କରିବାରେ ସାମିଲ ହୋଇପାରିବେ।
ଯୋରୋଗାନ୍‌ଙ୍କ ମତରେ ତୁମେ ଯଦି ପ୍ରକୃତରେ ପୃଥିବୀକୁ ପରିବର୍ତ୍ତନ କରିବାକୁ ଚାହୁଁଛ ତେବେ ଯୁବକମାନଙ୍କୁ ପ୍ରେରଣା ଦେବା ଏବଂ ଉତ୍ସାହିତ କରିବା ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିବ। ଜାତୀୟ ଏବଂ ରାଜ୍ୟସ୍ତରରେ ଏକ ଯୁବକେନ୍ଦ୍ରୀୟ ଯୁବନୀତିର ଅବଶ୍ୟକତା ରହିଛି ଯେଉଁଥିରେ ଯୁବକଙ୍କୁ ରାଜନୀତିରେ ପ୍ରବେଶ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବ। ସାମାଜିକ ଗଣମାଧ୍ୟମ ଦ୍ୱାରା ଯୁବକମାନଙ୍କୁ ଅଧିକରୁ ଅଧିକ ଯୋଡ଼ିବା ସହିତ ରାଜନୀତି ବିଜ୍ଞାନରେ ପାଠ ପଢ଼ିବା ପାଇଁ ଉତ୍ସାହିତ କରିବା ଉଚିତ। ନିଜ ଦେଶର ନେତୃତ୍ୱ ନେବାଠାରୁ ବଳି କିଛି ସମ୍ମାନ ନାହିଁ। ତେଣୁ କିଛି ନିଃସ୍ବାର୍ଥପର ଯୁବଗୋଷ୍ଠୀଙ୍କୁ କାଦୁଅକୁ ଡେଇଁ ନିଜକୁ ନିର୍ମଳ ରଖିବାକୁ ପଡି଼ବ। ମହମବତି ଶୋଭାଯାତ୍ରା, ଧାରଣା, ପଥପ୍ରାନ୍ତ ନାଟକ, ସ୍ଲୋଗାନ ଏବଂ ଆନ୍ଦୋଳନ ମାଧ୍ୟମରେ କିଛି ସମସ୍ୟା ସମାଧାନ ହୋଇପାରିବ ମାତ୍ର ନିଜେ ଆଞ୍ଚଳିକ ସ୍ତରରେ ପ୍ରତିନିଧିତ୍ୱ କରି ହେଉ କିମ୍ବା ବିଧାନ ସଭା ଏବଂ ଲୋକ ସଭାରେ ବସି ଆଲୋଚନା କରି ନିଷ୍ପତ୍ତି ନେଲେ ଅନେକ ସମସ୍ୟା ସମାଧାନ ହୋଇପାରିବ। ଏଥିପାଇଁ ଯୁବକମାନେ ପ୍ରଥମେ ଏକଜୁଟ୍‌ ହେବା ଦରକାର।

ରାଜୀବ କର୍ମି
ଶଗଡ଼ା, ବୌଦ୍ଧ
ମୋ: ୮୩୨୮୮୪୮୧୪୫

Dharitri –Odisha’s No.1 Trusted Odia Daily