ପୋତାଗଲା ଅପମିଶ୍ରିତ ସାମଗ୍ରୀ

କଟକ ସଦର,୭ା୪(ଡି.ଏନ.ଏ.): କଟକ ଜିଲା ୪୨ ମୌଜା ଫାଣ୍ଡି ଅଧୀନ ଶ୍ରୀରାମ ଗ୍ରାମର ଏକ କାରଖାନାରୁ ଜବତ ହୋଇଥିବା ଅପମିଶ୍ରିତ ଘିଅ ଓ ଜଡାତେଲକୁ ମଙ୍ଗଳବାର ପୋଲିସ ପୋତିଦେଇଛି। ଏସିପି ସତ୍ୟରଞ୍ଜନ ମଲ୍ଲିକ, କଟକ ସଦର ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା, ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼ ଓ ଫୁଡ୍‌ ଇନ୍ସପେକ୍ଟର ରାକେଶ ସାହୁଙ୍କ ଉପସ୍ଥିତିରେ ଜବତ ସାମଗ୍ରୀକୁ ନଷ୍ଟ କରାଯାଇଥିଲା। ନଷ୍ଟ ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଫାଣ୍ଡି ଅଧିକାରୀ ବରାଡ଼ କହିଛନ୍ତି। ଗତ ନଭେମ୍ବର ୨୯ରେ ଉକ୍ତ କାରଖାନା ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଘିଅ ଓ ଜଡାତେଲ ଜବତ କରିଥିଲା। ଏହି ଘଟଣାରେ ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ଏହା ଖାଦ୍ୟ ଅନୁପଯୋଗୀ ଜଣାପଡିଥିଲା। କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ସାମଗ୍ରୀକୁ ପୋତି ଦିଆଯାଇଛି।