କର୍ଲାମୁଣ୍ଡା, ୪।୮(ପ୍ରଦୀପ କୁମାର ସାହୁ):ସରକାର ଗର୍ଭବତୀ, ପ୍ରସୂତୀ,ଶିଶୁ ,କିଶୋରୀ ବାଳିକାଙ୍କୁ ଉତ୍ତମ ସେବା ଓ ପରାମର୍ଶ ଯୋଗେଇବା ଉଦ୍ଦେଶ୍ୟରେ ଆବଶ୍ୟକ ମୁତାବକ ପ୍ରତ୍ୟେକ ଗାଁରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି କରିଛନ୍ତି। ତେବେ କେନ୍ଦ୍ର ପରିଚାଳନା ପାଇଁ ସ୍ଥାୟୀ ଗୃହ ପ୍ରତିବନ୍ଧକ ପାଲଟିଛି। ଏପରି ପରିସ୍ଥିତି ଏବେ କଳାହାଣ୍ଡି ଜିଲା କର୍ଲାମୁଣ୍ଡାରେ ଦେଖିବାକୁ ମିଳିଛି। ଆଇସିଡିଏସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମତେ ଏହି ବ୍ଲକରେ ମୋଟ ୭୫ଟି ଅଙ୍ଗନୱାଡି ରହିଛି। ସେଥି ମଧ୍ୟରୁ ସ୍ଥାୟୀ ଗୃହ ଅଭାବ ଯୋଗୁଁ ବୋରପଦର, ଫଲସାପଡା,ଏକାତରା ଓ ଧରଣୀପଡାରେ ଭଡାରେ ଚାଲିଥିବାବେଳେ ଅବୁଜବାହାଲ, ସଳନ୍ଦୀମୁଣ୍ଡା, କାର୍ଣ୍ଣିଖୁଣ୍ଟି, ରାଜପୁର, ଡୁକେରମାଲ, ବିଜାପାଟି, କୁଶୁର୍ଲା ଆଦି ଗାଁରେ ଥିବା ବିଦ୍ୟାଳୟ ଗୁଡିକ ରେ ଅଙ୍ଗନୱାଡି କେନ୍ଦ୍ର ଚାଲିଛି। ସେହିପରି ୨୦୧୫-୧୬ ରେ ଫଲସାପଡା ଓ ଧରଣୀପଡାରେ ,୨୦୧୭-୧୮ ରେ ଏକାତରା,୨୦୨୦-୨୧ ରେ ବୋରପଦର ଓ ଡୁକେରମାଲ ୨୦୨୪ରୁ ରାଜପୁର,ବିଜାପାଟି,ସଳନ୍ଦୀମୁଣ୍ଡା ଠାରେ ଗାଁରେ ଦୀର୍ଘ ବର୍ଷରୁ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମ୍ପୂର୍ଣ୍ଣ ହେବାର ନା ଧରୁନି। ଏ ନେଇ ସିଡ଼ିପିଓ କଳ୍ପଳତା ତ୍ରିପାଠୀଙ୍କୁ ପଚାରିବାରୁ କିଛି କେନ୍ଦ୍ରର ନିଜସ ଗୃହ ନ ଥିଲେ ବି ସେବା ଠିକ ଭାବେ ଦିଆ ଯାଉଛି ବୋଲି କହିବା ସହ ଅସମ୍ପୂର୍ଣ୍ଣ ଗୃହ ଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବ୍ଲକ ପ୍ରଶାସନ ସହିତ ନିୟମିତ ଆଲୋଚନା କରାଯାଉଛି ବୋଲି କହିଛନ୍ତି।