ବାପା କନଷ୍ଟେବଳ ହେଲେ ପୁଅ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ପାଇଁ ଜେଲ୍‌ରେ ଖର୍ଚ୍ଚ କରନ୍ତି ୪୦ଲକ୍ଷ ଟଙ୍କା, ୧୧୦ ଏକର ଜମିକୁ…

ନୂଆଦିଲ୍ଲୀ,୨୦।୧୦: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇଙ୍କ ପାଇଁ ତାଙ୍କ ପରିବାର ପ୍ରତି ବର୍ଷକୁ ୩୫-୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ଜାଣି ଆଶ୍ଚର୍ଯ୍ୟ ହେଉଥିଲେ ବି ସତ। ଏନେଇ ଲରେନ୍ସଙ୍କ ଭାଇ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କିଛିଦିନ ପୂର୍ବରୁ ଏନସିପି ନେତା ଓ ମହାରାଷ୍ଟ୍ରର ପୂର୍ବ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ରାତି ଅଧରେ ଗୁଳିକରି ହତ୍ୟା କରାଯାଇଥିଲା। ଯାହାକୁ ନେଇ ବିଷ୍ଣୋଇ ଗ୍ୟାଙ୍ଗ ଏହି ହତ୍ୟା କରିଥିବା ସୂଚନା ଦେଇଥିଲା। ଲରେନ୍ସ ବର୍ତ୍ତମାନ ଗୁଜୁରାଟର ଅହମ୍ମଦବାଦର ସାବରମତୀ ସେଣ୍ଟ୍ରାଲ ଜେଲରେ କଏଦ ଅଛନ୍ତି। ଜାଣି ତାଜୁବ ହେବେ ଯେ ଏହି ଗ୍ୟାଙ୍ଗଷ୍ଟାରଜଣକ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି।

ତେବେ ଲରେନ୍ସଙ୍କ ଭାଇ ରମେଶ ବିଷ୍ଣୋଇ ଗଣମାଧ୍ୟମକୁ କହିଛନ୍ତି, ଆମ ପରିବାର କେବେ ଭାବି ନ ଥିଲେ କି, ଲରେନ୍ସ ଏପରି ଅପରାଧୀ ପାଲଟିଯିବେ। ଆମ ପରିବାର ଧନୀ ଅଟେ। ଲରେନ୍ସଙ୍କ ବାପା ହରିୟାଣା ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି। ଆଉ ଆମ ଗାଁରେ ୧୧୦ ଏକର ଜମି ଅଛି। ଲରେନ୍ସ ସବୁବେଳେ ଦାମୀ ଜୋତା ଓ ପୋଷାକ ପିନ୍ଧୁଥିଲା। ହେଲେ ସେ ଏବେ ଜେଲରେ ଥିବାରୁ ଆମ ପରିବାର ତାଙ୍କ ପାଇଁ ୩୫-୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ଅନେକ ହାଇ-ପ୍ରୋଫାଇଲ ମାମଲା ସହିତ ଜଡିତ ଲରେନ୍ସ, ପଞ୍ଜାବର ଫିରୋଜପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ବାଲକରନ ବ୍ରାର, ଯିଏ ହତ୍ୟା ଏବଂ ଚୋରା ଚାଲାଣ ଭଳି ଅନେକ ଅପରାଧିକ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ତାଙ୍କ ମାଉସୀଙ୍କ ପାଇଁ ସ୍କୁଲ ଦିନରେ ତାଙ୍କ ନାଁ ‘ଲରେନ୍ସ’ କରିଥିଲେ।

ସୂଚନାଥାଉ କି, କାନାଡା ସରକାର ଅଭିଯୋଗ କରିଛନ୍ତି ଯେ ଲରେନ୍ସ ଗ୍ୟାଙ୍ଗ ଉତ୍ତର ଆମେରିକା ଦେଶରେ ‘ସରକାରୀ’ ଏଜେଣ୍ଟମାନଙ୍କ ସହ ସହଯୋଗ କରି ହିଂସାତ୍ମକ କାର୍ଯ୍ୟକଳାପ କରୁଛି। ତେବେ ଭାରତ ଏହି ଅଭିଯୋଗକୁ ଅସ୍ବୀକାର କରିଛି। ୨୦୧୫ରୁ ଲରେନ୍ସ ଜେଲରେ ଅଛନ୍ତି ଏବଂ ରାଜ୍ୟ ଆତଙ୍କବାଦ ନିରୋଧୀ ସ୍କାଡ (ଏଟିଏସ) ଏବଂ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ଅନେକ ମାମଲାରେ ଅନୁସନ୍ଧାନ କରାଯାଉଛି।