ପୌରପାଳିକାର ଅପାରଗତା, ଦୁର୍ନୀତି ପ୍ରତିବାଦରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌରପାଳିକାର ଅପାରଗତା ଓ ଦୁର୍ନୀତି ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ କଂଗ୍ରେସ ନେତା ଓ କର୍ମୀମାନେ ବଲାଙ୍ଗୀର ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ନିଜ ଅପାରଗତାକୁ ଘୋଡାଇବାକୁ ଯାଇ ପୌରାଧ୍ୟକ୍ଷା ଓ କାଉନସିଲରମାନେ ପୂର୍ତ୍ତ ଓ ଏନଏଚ ବିଭାଗ ଘେରାଉ ନାଟକ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାୟକ ଥିବାବେଳେ ସହରର ଯେଉଁ ଉନ୍ନତିମୂଳକ କାର୍ଯ୍ୟ ହେଉଥିଲା ତାକୁ ପୌରପାଳିକା ବିରୋଧ କରିଥିଲେ । ଏବେ ପୂର୍ତ୍ତ ଓ ଏନଏଚ ବିଭାଗ ଉପରେ ଦୋଷ ଦେଇ ଖସିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ମହାରାଣୀ ସାଗର, ସହରର ଡ୍ରେନ ଓ ଟାଉନ ହଲ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ କରିଥିଲେ। ସମଲେଶରୀ ମନ୍ଦିର ଭିତରେ ଡ୍ରେନ ପାଣି ଲହଡ଼ି ମାରିବା ଘଟଣାରେ ବଲାଙ୍ଗୀରବାସୀ ମର୍ମାହତ ହୋଇପଡିଛନ୍ତି। ଲୋକେ ପ୍ରତିକ୍ରିୟାଶୀଳ ହେବା ପରେ ଧ୍ୟାନ ହଟାଇବାକୁ ପୌରପାଳିକା ଏବେ ଘେରାଉ ନାଟକ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ନଗର ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ମନୀଷ ମିଶ୍ର, ସାନନ୍ଦ ମିଶ୍ର, ଓମ ପ୍ରକାଶ କୁମ୍ଭାର, ସନ୍ତକ ବହିଦାର, ଅଜୟ ବାଲି, ଜୁଲୁ ପଟ୍ଟନାୟକ, ବ୍ରଜ ସେଠୀ, କୈଳାଶ ମିଶ୍ର , ଅସିତ୍‌ ମିଶ୍ର, ଚିନ୍ମୟ ବେହେରା, ହିମାଂଶୁ ନାୟକ ଓ ଅନ୍ୟମାନେ ଉପସ୍ଥିତଥିଲେ। ନଗର କଂଗ୍ରେସ ପକ୍ଷରୁ ପୌରପାଳିକା ଦୁର୍ନୀତିର ତଦନ୍ତ କରିବାକୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।