ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି। ଚାଷୀଙ୍କ ସମସ୍ୟାର ତ୍ୱରିତ୍‌ ସମାଧାନ ପାଇଁ ପଦକ୍ଷେପ ନେବା ଦାବିରେ ବରଗଡ଼ ଜିଲା କଂଗ୍ରେସ ତାତି ଉଠିଛି। ଏହି କ୍ରମରେ ଶୁକ୍ରବାର ଜିଲା କଂଗ୍ରେସ ସଭାପତି ହରଦୀପ ସିଂଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିକ୍ଷୋଭ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ୪ଦଫା ଦାବି କରାଯାଇଛି। ବିନା କଟ୍‌ନୀଛଟ୍‌ନୀରେ ସମସ୍ତ ଚାଷୀଙ୍କ ଧାନ କିଣାଯିବା, ଫସଲବୀମାରେ ରହିଥିବା ସମସ୍ତ ଅସଙ୍ଗତି ଦୂର କରି ଚାଷୀ ପରିବାରକୁ ସ୍ବାସ୍ଥ୍ୟ ବୀମାଭୁକ୍ତ କରାଯିବା, ୫୫ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ଚାଷୀ ଏବଂ ଭାଗଚାଷୀମାନଙ୍କୁ ମାସିକ ୧୦ହଜାର ଟଙ୍କା ଲେଖାଏ ଭତ୍ତା ପ୍ରଦାନ, ଚିର ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଅଞ୍ଚଳକୁ ଜଳସେଚିତ କରିବା ପାଇଁ ଅଙ୍ଗନଦୀ ଉପରେ ଏକ ବନ୍ଧ ନିର୍ମାଣ ପାଇଁ କଂଗ୍ରେସ ଦାବି କରିଛି। ଦାବିପତ୍ର ପ୍ରଦାନ ସମୟରେ ଜିଲା କଂଗ୍ରେସ ସଭାପତି ସିଂଙ୍କ ନେତୃତ୍ୱରେ ପ୍ରତାପ ନାୟକ, ଯତିରଞ୍ଜନ ପୂଜାରୀଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily