ଗଞ୍ଜାମ, ୧୬।୧ (ଅନାଥ ତରାଇ/ ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ଝରପଦା ଗ୍ରାମରେ ପିତା-ମାତାଙ୍କ ଅକାଳ ମୃତ୍ୟୁ ଯୋଗୁ ଗଭୀର ଦୁଃଖରେ ପଡ଼ିଥିବା ୨ ଅସହାୟ ପିଲାଙ୍କୁ ଗଞ୍ଜାମ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ସହାୟତାର ହାତ ବଢ଼ାଯାଇଛି। ୨ ପିଲା ଦ୍ୱୟ ହେଲେ ସୁଇଟି ମହାକୁଡ଼ (୧୭) ଓ କାଳିଆ ମହାକୁଡ଼ (୧୪)।
ପରିବାରର ଦୁର୍ଦ୍ଦଶା ସମ୍ବନ୍ଧରେ ସୂଚନା ପାଇବା ମାତ୍ରେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଶମ୍ଭୁ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାଗୀରଥି ବେହେରା, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ଼, ସମାଜସେବକ ଭବାନୀ ବେହେରା ନେତୃତ୍ୱ ଝରପଦା ଗାଁରେ ପହଞ୍ଚିଥିଲେ। ପିଲାମାନଙ୍କ ବାସଗୃହରେ ପହଞ୍ଚି ଆର୍ଥିକ ୧୦,୦୦୦ ଟଙ୍କା ସହାୟତା ସହିତ ଚାଉଳ, ଅଟା, ଡାଲି, ତେଲ, ପନିପରିବା ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ପ୍ରକାଶ ଥାଉ କି, ନଅ ମାସ ପୂର୍ବରୁ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ରବି ମହାଙ୍କୁଡ଼ ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିବାବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀ ଝୁନୁ ମହାଙ୍କୁଡ଼ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୂମିହୀନ ଏହି ପରିବାରଟି ଭଡ଼ା ଘରେ ରହି ଚୁଡ଼ି ବିକ୍ରି କରି ଗୁଜରାଣ ମେଣ୍ଟାଉଥିଲେ। ବର୍ତ୍ତମାନ ମୁରବିହୀନ ହୋଇପଡ଼ିଥିବା ଏହି ଦୁଇ ପିଲାଙ୍କ ପାଠପଢ଼ା ଓ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି। କଂଗ୍ରେସର ଏହି ମାନବିକ ଉଦ୍ୟମକୁ ସ୍ଥାନୀୟ ବାସିନ୍ଦାମାନେ ବେଶ୍ ପ୍ରଶଂସା କରିଛନ୍ତି।