ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର ଲୋକଙ୍କ ପ୍ରତି ସର୍ବୋଚ୍ଚ ସମ୍ମାନ ରଖିଛନ୍ତି ଏବଂ ରଖିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେଠାକାର ଲୋକଙ୍କ ଭାବନାକୁ ଆଘାତ ଦେବା ତାଙ୍କର କେବେବି ଉଦ୍ଦେଶ୍ୟ ନଥିଲା।
ରବିବାର କେରଳର ଇଡୁକ୍କି ଜିଲାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଖାର୍ଗେ ମନ୍ତବ୍ୟ ଦେଇଥିଲେ ଯେ ରାଜ୍ୟର ଲୋକମାନେ ଶିକ୍ଷିତ ଏବଂ ବିଚକ୍ଷଣ । ଗୁଜରାଟର “ନିରକ୍ଷର” ଲୋକଙ୍କ ପରି ସେମାନଙ୍କୁ ଭ୍ରମିତ କରାଯାଇପାରିବ ନାହିଁ । ଏହି ବୟାନ ପାଇଁ ଭାଜପା ତାଙ୍କୁ ଟାର୍ଗେଟ କରିଥିଲା।
ଭାଜପା ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି ଯେ ରାହୁଲ ଗାନ୍ଧୀ ଖାର୍ଗେଙ୍କ ଏହି ବକ୍ତବ୍ୟ ସହିତ ସହମତ କି? ଯଦି ରାହୁଲ ଗାନ୍ଧୀଙ୍କର ଟିକେ ବି ବୁଦ୍ଧି ଅଛି, ତେବେ ସେ ଏହି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିବା ଉଚିତ, ଏହାକୁ ନିନ୍ଦା କରିବା ଉଚିତ ଏବଂ କ୍ଷମା ମାଗିବା ଉଚିତ।
ରବି ଶଙ୍କର ପ୍ରସାଦ ଉଲ୍ଲେଖ କରିଛନ୍ତି ଯେ ଆଜି ଖାର୍ଗେ ଯେଉଁ ପଦବୀରେ ଅଛନ୍ତି, ତାହା ପୂର୍ବରୁ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦ, ସୋନିଆ ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ନିଜେ ରାହୁଲ ଗାନ୍ଧୀଙ୍କ ଭଳି ନେତାମାନେ ମଧ୍ୟ ଅଧିକାର କରିସାରିଛନ୍ତି। ଏତେ ଉଚ୍ଚ ପଦବୀରେ ଥିବା ଜଣେ ବ୍ୟକ୍ତି କି ପ୍ରକାରର ଭାଷା ପ୍ରୟୋଗ କରୁଛନ୍ତି? ଖାର୍ଗେଙ୍କ ମନ୍ତବ୍ୟ କେବଳ ଅପମାନଜନକ ନୁହେଁ ବରଂ ନିର୍ଲଜ୍ଜ ଏବଂ ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି ସେ କହିଥିଲେ ।
ବିବାଦ ବୃଦ୍ଧି ପାଉଥିବାରୁ, ଖାର୍ଗେ ବୁଧବାର କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଛନ୍ତି ଯେ କେରଳରେ ସେ ସମ୍ପ୍ରତି ଦେଇଥିବା ନିର୍ବାଚନୀ ଭାଷଣ ସମୟରେ ଦେଇଥିବା କିଛି ମନ୍ତବ୍ୟକୁ ଜାଣିଶୁଣି ଭୁଲ ଭାବରେ ଉପସ୍ଥାପନ କରାଯାଉଛି। ତଥାପି, ମୁଁ ଦାୟିତ୍ୱର ସହ ମୋର ଦୁଃଖ ପ୍ରକାଶ କରୁଛି। ମୁଁ ସବୁବେଳେ ଗୁଜରାଟର ଲୋକଙ୍କ ପ୍ରତି ସର୍ବୋଚ୍ଚ ସମ୍ମାନ ରଖିଆସିଛି ଏବଂ ସବୁବେଳେ ରଖିବି । ସେଠାକାର ଲୋକଙ୍କ ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ କେବେ ନଥିଲା।