ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲା (ପୂର୍ବ) ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଙ୍ଗଠନ ସୃଜନ ଅଭିଯାନ ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ତୃଣମୂଳସ୍ତରରେ ଥିବା ନେତୃମଣ୍ଡଳୀ ଓ କର୍ମୀଙ୍କଠାରୁ ତଥ୍ୟ ସଂଗ୍ରହ କରି ସଭାପତି ଚୟନ ଦିଗରେ ପଦକ୍ଷେପ ନେବେ। ଶୁକ୍ରବାର ଛତ୍ରପୁରସ୍ଥିତ ଲିସା ଗ୍ୟାଲେକ୍ସିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏଆଇସିସିର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ରାମଲାଲ ଝାଟ ଯୋଗଦେଇ ଯେଉଁମାନେ ବ୍ୟକ୍ତିଗତ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ସାଙ୍ଗରେ ନେଇ ଦଳ ପାଇଁ କାମ କରୁଥିବା ବ୍ୟକ୍ତିଙ୍କ ଏକ ତାଲିକା ଏଆଇସିସିକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଓଡ଼ିଶା ରାଜ୍ୟର ଗଞ୍ଜାମ ଜିଲା ହେଉଛି ସବୁଠୁ ବଡ଼ ଜିଲା। ଏଠି ବହୁଦିନ ଧରି କଂଗ୍ରେସ ଦୁର୍ବଳତା ରହିଛି । ଅନ୍ୟ ରାଜନୈତିକ ଦଳର ପ୍ରତିହାର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ରାହୁଲଗାନ୍ଧୀଙ୍କ କ୍ରେଜ୍ ବଢୁଥିବା ବେଳେ ଯେଉଁପ୍ରକାର ପଦଯାତ୍ରା ମାଧ୍ୟମରେ ଦେଶର ବିଭିନ୍ନ କୋଣରେ ଜନସମ୍ପର୍କ ମାଧ୍ୟମରେ ଦେଶବାସୀଙ୍କୁ ଭାଜପା ସରକାରଙ୍କ ଜନବିରୋଧୀ ବିଷୟକୁ ନେଇ ସଚେତନତା କରୁଛନ୍ତି। ଏଣୁ ଆଗାମୀ ଦିନରେ କଂଗ୍ରେସକୁ ତୃଣମୂଳସ୍ତରରେ ସଂଗଠନକୁ କିପରି ସୁଦୃଢ଼ କରାଯାଇପାରିବ ସେଥିପ୍ରତି ସେ ବରିଷ୍ଠ, ଯୁବବର୍ଗର ହେଉ କିମ୍ବା ମହିଳା ହୁଅନ୍ତି ସେଭଳି ବ୍ୟକ୍ତିଙ୍କୁ ଏହି ତାଲିକାରେ ସ୍ଥାନ ମିଳିବା ଆବଶ୍ୟକ ରହିଛି। ଏହାପରେ ଏଆଇସିସି ସଭାପତି ନାମ ଘୋଷଣ କରିବେ। ଆଗାମୀ ୭ ଦିନ ଧରି ପୂର୍ବ ଗଞ୍ଜାମର ବିଭିନ୍ନ ବ୍ଲକ ସେ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଛତ୍ରପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା ଛତ୍ରପୁର ନିର୍ବାଚନମଣ୍ଡଳୀର ଦଳର ସଂଗଠନ ସ୍ଥିତି ନେଇ ଆଲୋଚନା କରିଥିଲେ। ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ହିଞ୍ଜିଳି ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶମ୍ବୁନାଥ ପାଣିଗ୍ରାହୀ, ଓଡ଼ିଶା ପ୍ରଦେଶ କଂଗ୍ରେସର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ଜାକବ ପ୍ରଧାନ ଓ ବିଜାନ ନାୟକ, ବରିଷ୍ଠ ନେତା ଗଣପତି ବାରିକ, ପୂର୍ବତନ ସରପଞ୍ଚ ଡି.ରାମସ୍ବାମୀ ରେଡ୍ଡୀ ଓ ଟି.କ୍ରିଷ୍ଣାରେଡ୍ଡୀ, ପିସିସି ସଭ୍ୟ ଚକ୍ରପାଣି ପଲାଇ, ରାଜ୍ୟ କଂଗ୍ରେସ ଛାତ୍ର ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ଼, ଛତ୍ରପୁର ନଗର ସଭାପତି କାଳିଆ ରାଉଳ, କାଳୁଚରଣ ତ୍ରିପାଠୀ, ମହିଳା ନେତ୍ରୀ କୁନି ନାୟକଙ୍କ ସମେତ ବହୁନେତା ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।