ଦୀପାବଳୀରେ ବେସନ ଲଡୁ ତିଆରି କଲେ ରାହୁଲ ଗାନ୍ଧୀ, ଦୋକାନୀ କହିଲେ ବିବାହ କଲେ ମିଠା ପଠାଇବୁ

ନୂଆଦିଲ୍ଲୀ,୨୦।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦୀପାବଳୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଘଣ୍ଟେୱାଲା ମିଠା ଦୋକାନକୁ ଯାଇ ଇମରତି ଓ ବେସନ ଲଡ୍ଡୁ ତିଆରି କରିଛନ୍ତି।

ରାହୁଲ ଏକ ଭିଡିଓ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ଘଣ୍ଟେୱାଲାରେ ଇମରତି ଓ ଲଡ୍ଡୁ ହାତରେ ବନାଇବାକୁ ଚେଷ୍ଟା କଲି। ଶତାବ୍ଦୀ ପୁରୁଣା ଏହି ଦୋକାନର ମିଠା ଏବେ ବି ପାରମ୍ପରିକ ଓ ହୃଦୟସ୍ପର୍ଶୀ। ଦୀପାବଳୀର ମିଠା କେବଳ ଥାଳିରେ ନୁହେଁ, ସମ୍ପର୍କ ଓ ସମାଜରେ ମଧ୍ୟ।” ସେ ପଚାରିଛନ୍ତି, “ଆପଣ ଦୀପାବଳୀ କିପରି ମନାଉଛନ୍ତି?”

ଦୋକାନ ମାଲିକ ରାହୁଲଙ୍କୁ କହିଛନ୍ତି, “ଆମେ ଆପଣଙ୍କ ନାନା ନେହେରୁ, ଦାଦୀ ଇନ୍ଦିରା, ବାପା ରାଜୀବ ଓ ଦିଦି ପ୍ରିୟଙ୍କାଙ୍କୁ ମିଠା ଦେଇଛୁ। ଏବେ କେବଳ ଆପଣଙ୍କ ବିବାହର ଅପେକ୍ଷା। ଶୀଘ୍ର ବିବାହ କରନ୍ତୁ, ମିଠା ଆମ ଠାରୁ ନିଅନ୍ତୁ।” ରାହୁଲ ହସି ରହିଯାଇଥିଲେ।

Dharitri – Odisha’s No.1 Odia Daily