ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି।
ଶାସନ, ପରିଚୟ, ଭିତ୍ତିଭୂମି ବିକାଶ, ଉଦ୍ୟୋଗୀକରଣ, କୃଷି, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟସେବା ଏବଂ ଆସାମର ସୁରକ୍ଷା ଆଦି ୧୧ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଇଛି। ବୋକାଜାନ୍ଠାରେ ଏକ ନିର୍ବାଚନୀ ରାଲିରେ ରାହୁଲଙ୍କ ସହ ଦଳର ଆସାମ ସଭାପତି ଗୌରବ ଗୋଗୋଇ ଓ ଅନ୍ୟ ବରିଷ୍ଠ ନେତାମାନେ କଂଗ୍ରେସ ଇସ୍ତାହାର ଉନ୍ମୋଚନ କରିଥିଲେ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗତ ୨୯ ତାରିଖରେ ଆସାମ ଗସ୍ତରେ ଯାଇଥିବାବେଳେ ଦଳର ୫ଟି ଗ୍ୟାରେଣ୍ଟି ସମ୍ପର୍କରେ ଘୋଷଣା କରିଥିଲେ। ଉକ୍ତ ଗ୍ୟାରେଣ୍ଟି ମଧ୍ୟରେ ରହିଛି ମହିଳାଙ୍କ କଲ୍ୟାଣ, ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା, ଜମି ଅଧିକାର ଏବଂ ଜୁବିନ୍ ଗର୍ଗ ମୃତ୍ୟୁ ମାମଲାରେ ନ୍ୟାୟ ପ୍ରଦାନ। ମହିଳାଙ୍କୁ ଆର୍ଥତ୍କ ସହାୟତା ସମେତ ଯେଉଁମାନେ ବ୍ୟବସାୟ ବଢ଼ାଇବାକୁ ଚାହିଁବେ ସେମାନଙ୍କୁ ଅତିରିକ୍ତ ୫୦,୦୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି ଉକ୍ତ ଗ୍ୟାରେଣ୍ଟିରେ କୁହାଯାଇଥିଲା।