ଟାୟାର ଜାଳି ରାଜପଥ ଅବରୋଧ କଲେ କଂଗ୍ରେସ ନେତା: ଭିଡ଼ରେ ଫସିଲା ସ୍ବର୍ଗରଥ

ସାକ୍ଷୀଗୋପାଳ ୧୭।୭( କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ): FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସର ଓଡ଼ିଶା ବନ୍ଦ ପୁରୀ ଜିଲା ସତ୍ୟବାଦୀରେ ସଫଳ ହୋଇଛି।

ସକାଳ ସାଢ଼େ ୯ଟାରୁ ଭୁବନେଶ୍ବର- ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉପରେ ଟାୟାର ଜାଳି କଂଗ୍ରେସ କର୍ମୀମାନେ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ। ଫଳରେ ୪ ଘଣ୍ଟା କାଳ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଫଳରେ ଶହଶହ ସଂଖ୍ୟାରେ ବସ୍‌, ଟ୍ରକ, କାର ଓ ବାଇକ୍‌ ରାଜପଥରେ ଅଟକ ରହିବାରୁ ସାଧାରଣ ଲୋକେ ହଟହଟା ହୋଇଥିଲେ।

ଏପରିକି ପର୍ଯ୍ୟଟକମାନେ ବସ୍‌ରୁ ଓହ୍ଲାଇ ରାସ୍ତା ପାଶର୍‌ବରେ ବିଶ୍ରାମ ନେଇଥିବା ବେଳେ ଶବ ନେଇଯାଉଥିବା ଏକ ସ୍ବର୍ଗରଥ ଗାଡି ଭିଡ଼ରେ ଫସି ରହିଥିବା ଦେଖିବାକୁ ମିଳିଥିଲା। କେବଳ ଜରୁରୀ ସେବା ପାଇଁ ଅଳ୍ପ ସଂଖ୍ୟକ ଗାଡ଼ି ଛାଡ଼ି ଦିଆଯାଇଥିଲା। ସାକ୍ଷୀଗୋପାଳ ମନ୍ଦିର, ବଜାର, ରେଳଷ୍ଟେଶନ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ ରହିଥିଲା।

ସତ୍ୟବାଦୀ ବ୍ଲକ ସଭାପତି ସୁବାସ ମହାପାତ୍ର ଓ ଯୁବ କଂଗ୍ରେସ ସଭାପତି ଲିପ୍ତି ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ତପନ କୁମାର ବେଜ୍‌, ଅମୂଲ୍ୟ ଜେନା, ଦେବରାଜ ଜେନା, ଉତ୍ତମ ମହାପାତ୍ର, ପ୍ରସାଦ ନାୟକ, ଧଡ଼ିଆ ନାୟକ, ରାଜେଶ କୁମାର ଜେନା, ଲୋକନାଥ ନାୟକ, କାହ୍ନୁଚରଣ ପ୍ରଧାନଙ୍କ ସହିତ କଂଗ୍ରେସ କର୍ମୀ ଆନ୍ଦୋଳନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

ଆଇନଶୃଙ୍ଖଳା ବଜାୟ ରଖିବାକୁ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡ଼ା, ପିପିଲି ଏସ୍‌ଡିପିଓ ଦେବାଶିସ ମିଶ୍ର, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ପ୍ରମୁଖ ଘଟଣାସ୍ଥଳରେ ପୋଲିସ ଫୋର୍ସ ସହିତ ଉପସ୍ଥିତ ରହିଥିଲେ।