କଂଗ୍ରେସ ଦୁଃସ୍ଥ ରାଜନୀତିକୁ ଓହ୍ଲାଇଛି: ମୋଦି

ନୂଆଦିଲ୍ଲୀ,୨୩ା୨: ଭାରତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଯୁବ କଂଗ୍ରେସ କର୍ମୀଙ୍କ ଅର୍ଦ୍ଧନଗ୍ନ ଶରୀରରେ ବିକ୍ଷୋଭ କରିବା ବିଷୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି। ଏଆଇ ସମିଟ୍‌ ଭଳି ଏକ ବୈଶ୍ୱିକ ସମାବେଶରେ କଂଗ୍ରେସ କର୍ମୀମାନେ ଯେଭଳି ଆଚରଣ ଦେଖାଇଛନ୍ତି ,ତାହା କଂଗ୍ରେସର ଦୁଃସ୍ଥ ଏବଂ ନଗ୍ନ ରାଜନୈତିକ ମାନସିକତାର ପରିଚୟ ଦେଇଛି ବୋଲି ରବିବାର ମିରଟ୍‌ରେ ନମୋ ଭାରତ ରିଜିଓନାଲ୍‌ ରାପିଡ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ୍‌(ଆର୍‌ଆର୍‌ଟିଏସ୍‌) ସେବା ଉଦ୍‌ଘାଟନ ଅବସରରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି କହିଛନ୍ତି। ଭାରତ ଆୟୋଜନ କରିଥିବା ଏଆଇ ସମିଟ୍‌କୁ ନେଇ ବିଶ୍ୱର ବହୁ ତୁଙ୍ଗ ନେତା ପ୍ରଶଂସା କରିଥିଲା ବେଳେ ଏଭଳି ଏକ ବୈଶ୍ୱିକ ସମାବେଶରେ ସାରା ବିଶ୍ୱରୁ ଶତାଧିକ ପ୍ରତିଷ୍ଠିତ କମ୍ପାନୀର ପ୍ରତିନିଧିତ୍ୱ କରିବା ଦେଶ ପାଇଁ ଗର୍ବର ବିଷୟ ହୋଇଛି। କିନ୍ତୁ ବିଦେଶୀ ଅତିଥିମାନଙ୍କ ଉପସ୍ଥିତିରେ କଂଗ୍ରେସ ଯେଭଳି ଆଚରଣ ଦେଖାଇଛି ତାହା ଦେଶର ଛବି ଓ ମର୍ଯ୍ୟାଦା କ୍ଷୁଣ୍ଣ କରିଛି। ଟିଏମ୍‌ସି, ଡିଏମ୍‌କେ, ବିଏସ୍‌ପି ଭଳି ଅନ୍ୟ ବିରୋଧୀ ଦଳ ଏଭଳି ବିକ୍ଷୋଭରେ ସାମିଲ ହୋଇନାହାନ୍ତି। କିନ୍ତୁ କଂଗ୍ରେସ ଏତେ ତଳକୁ ଖସିଯାଇଛି ଯେ ଦେଶର ମର୍ଯ୍ୟାଦା ହାନି କରିବାକୁ ପଛାଇ ନାହିଁ। କଂଗ୍ରେସ ଦଳ ନଗ୍ନ ହୋଇସାରିଛି ବୋଲି ଦେଶବାସୀ ଜାଣି ସାରିଛନ୍ତି। ପୁଣି ଏଆଇ ସମିଟ୍‌ରେ ଅର୍ଦ୍ଧନଗ୍ନ ହେବାର କି ଆବଶ୍ୟକତା ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ କଟାକ୍ଷ କରି କହିଛନ୍ତି।
ଦେଶର ପ୍ରଥମ ହାଇସ୍ପିଡ୍‌ ନମୋ ଭାରତ ରେଳସେବାକୁ ଲୋକାର୍ପିିତ କରି ମୋଦି କହିଛନ୍ତି, ଦିଲ୍ଲୀ ଓ ମିରଟ୍‌କୁ ଯୋଡୁଥିବା ଏହି ୮୨ କି.ମି. ବିଶିଷ୍ଟ ପ୍ରକଳ୍ପ ଦ୍ୱାରା ସାଧାରଣ ଯାତାୟାତ କ୍ଷେତ୍ରରେ ଲୋକଙ୍କୁ ଅନେକ ସୁବିଧା ମିଳିବ। ବିଶେଷକରି ଦିଲ୍ଲୀକୁ ମିରଟ୍‌ ଏବଂ ଏନସିଆର୍‌ରୁ ଦୈନନ୍ଦିନ ଯାତାୟାତ କରୁଥିବା ଲୋକ ଏହି ସେବା ଦ୍ୱାରା ସର୍ବାଧିକ ଉପକୃତ ହେବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶର ଦ୍ରୁତତମ ମେଟ୍ରୋ ଟ୍ରେନ୍‌ ସେବା ରୂପେ ନମୋ ଭାରତ ପ୍ରକଳ୍ପ ପାଇଁ ପ୍ରାୟ ୧୫ ହଜାର ଟଙ୍କା ବ୍ୟୟ କରାଯାଇଛି। ଏହି ଟ୍ରେନ୍‌ ଘଣ୍ଟାକୁ ସର୍ବାଧିକ ୧୬୦ କ.ିମି. ବେଗରେ ଗତି କରିପାରିବ। ଏହାଦ୍ୱାରା ପୂର୍ବରୁ ଦିଲ୍ଲୀରୁ ମିରଟ୍‌ ଯିବାକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା ବେଳେ ଏବେ ୮୨ କି.ମି. ଦୂରତା ପାଇଁ ୪୫ରୁ ୫୦ ମିନିଟ୍‌ ସମୟ ଲାଗିବ।

Dharitri – Odisha’s No.1 Odia Daily

Share