ଭାଜପାରେ ମିଶିଲେ କଂଗ୍ରେସ, ବିଜେଡି କର୍ମୀ

ମାଲକାନଗିରି,୪।୧୦(ଦୁର୍ଯ୍ୟୋଧନ ପାତ୍ର): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ମାଲକାନଗିରି ଦିନିକିଆ ଗସ୍ତରେ ଆସିଛନ୍ତି। ଏହି ଅବସରରେ ଭାଜପା ଜିଲା ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲା ଭାଜପା କାର୍ଯ୍ୟାଳୟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ଏବଂ ବିଜେଡିର ୮ଜଣ ସକ୍ରୀୟ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ସେମାନେ ହେଲେ ବୀରଲଖ୍ମଣପୁର ସରପଞ୍ଚ ନିଳକଣ୍ଠ ଝୋଲା, ବିଜେଡି ସମର୍ଥୀତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ପୂର୍ବତର ବ୍ଲକ ସଭାପତି ବିଭାଂଶୁ ରଞ୍ଜନ ସାମଲ, ବ୍ଲକ ଉପସଭାବପତି ବିଦେଶୀ ପ୍ରହରାଜ, ସଞ୍ଜୟ ବୈରାଗୀ, ନାକାମାମୁଡି ଗ୍ରାମର ପୂର୍ବତନ ସମିତିସଭ୍ୟ ମହାଦେବ ଶିଶା ଏବଂ ପୂର୍ବତନ ସରପଞ୍ଚ ବିଶ୍ୱନାଥ ହନ୍ତାଳ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନଠାରୁ ଭାଜପା ସେବା ପକ୍ଷ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଏହି କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେଡି ଓ କଂଗ୍ରେସ ଦଳର ୮ଜଣ ସକ୍ରୀୟ କର୍ମୀ ଭାଜପାରେ ସାମିଲ ହୋଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଭାଜପା ଏକ ରାଷ୍ଟ୍ରୀୟ ଦଳ। ଭାଜପା କେବଳ ରାଜନୀତି କରୁନାହିଁ ଲୋକଙ୍କ ସେବାରେ ନିୟୋଜିତ ହୋଇ କାର୍ଯ୍ୟ କରୁଛି। ଫଳରେ ଦଳ ଦିନକୁ ଦିନ ଆହୁରି ସୁଦୃଢ ହେବାରେ ଲାଗିଛି। ଆଗାମୀ ଦିନରେ ଦଳ ଆହୁରି ଶସକ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ନୂତନ ଭାବେ ସାମିଲ ହୋଇଥିବା କର୍ମୀଙ୍କୁ ମନ୍ତ୍ରୀ ଉପଡ଼ୌକନ ଏବଂ ଦଳୀୟ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ପରେ କର୍ମୀଙ୍କୁ ଶପଥ ପାଠ କରାଯାଇଥିଲା।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଏମ୍‌ପି ଇଂ.ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ମଞ୍ଚାସୀନ ଥିବା ବେଳେ ଦଳୀୟ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ଏମ୍‌ପିଙ୍କ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ନବଘନ ଲୋକେଇ, ଉତ୍ତମ ଓଝାଙ୍କ ସହ ସମସ୍ତ ମଣ୍ଡଳ ସଭାପତି ଏବଂ ସଦସ୍ୟ ଉପସ୍ଥିତ ରହିଥିଲେ ା