କୋଟିଆରେ ଆଧାର କେୱାଇସିକୁ ନେଇ ଦ୍ୱନ୍ଦ୍ୱ

ପଟ୍ଟାଙ୍ଗି,୧୭ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର-ଓଡ଼ିଶାର କାର୍ଯ୍ୟକଳାପକୁ ନେଇ ସୀମାନ୍ତବାସୀ ଦ୍ୱନ୍ଦ୍ୱରେ। କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ତଥା ନେରିଡିବାଲସାରେ ମାର୍ଚ୍ଚ ୩୧ରେ ପଡ଼ୋଶୀ ଆନ୍ଧ୍ରର ସାଲୁର ବ୍ଲକ୍‌ ପ୍ରଶାସନ ପହଞ୍ଚି ନେଟୱର୍କ ବା ନେଟ୍‌ ଆସୁଥିବା ସ୍ଥାନଗୁଡ଼ିକରେ ସୀମାନ୍ତବାସୀଙ୍କୁ ଏକତ୍ର କରି ଆଧାର କେୱାଇସି ଅପଡେଟ୍‌ କରିଥିଲା।

ଏହି ଘଟଣା ରାଜ୍ୟ ସରକାର, କୋରାପୁଟ ଜିଲା ଓ ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ମଧ୍ୟରେ ଚହଳ ପକାଇଥିଲା। ଏହାର ୧୮ଦିନ ପରେ କୋଟିଆ ପଞ୍ଚାୟତର ଫାଟୁସିନେରି, ଉପରସେମ୍ବି ଓ ଫଗୁଣସିନେରି ଗ୍ରାମରେ ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ପକ୍ଷରୁ ଗୁରୁବାର ସକାଳୁ ଆଧାର କଓ୍ବୋଇସି ଅପଡେଟ୍‌ କରାଯାଇଛି। ଏଭଳି ଦୁଇଥର ଲେଖାଏ ଆଧାର କଓ୍ବୋଇସି କରାଯିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ପଟ୍ଟାଙ୍ଗି ବ୍ଲକ୍‌ କର୍ମଚାରୀ ଫାଟୁସିନେରି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ମହିଳାମାନଙ୍କ ଆଧାର କଓ୍ବୋଇସି ଅପଡେଟ୍‌ କରିଛନ୍ତି। ସେହିପରି ଫଗୁଣସିନେରି ଓ ଉପରସେମ୍ବି ଗ୍ରାମରେ ମଧ୍ୟ ଅଙ୍ଗନଓ୍ବାଡି କେନ୍ଦ୍ରରେ କେବଳ ମହିଳାମାନେ ହାତରେ ଆଧାରକାର୍ଡ ଧରି କଓ୍ବୋଇସି ଅପଡେଟ୍‌ କରାଉଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପକ୍ଷରୁ କରାଯାଇଥିବା କଓ୍ବୋଇସି ଯାଞ୍ଚ ବେଳେ ସୀମାନ୍ତ ଗ୍ରାମଗୁଡ଼ିକର ମହିଳା,ପୁରୁଷ ଓ ଛୋଟ ପିଲା ଥିବା ବେଳେ ଓଡ଼ିଶା କରୁଥିବା କଓ୍ବୋଇସି କାର୍ଯ୍ୟକ୍ରମରେ କେବଳ ମହିଳା ରହିବା ନେଇ ଦ୍ୱନ୍ଦ୍ୱ ବଢ଼ିଛି। ଏହି କାର୍ଯ୍ୟକ୍ରମ ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ତଥା ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ସୀମାନ୍ତ ଗ୍ରାମରେ ଆଧାର କେୱାଇସି ସୁଭଦ୍ରା ଯୋଜନା ନା ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଏହାକୁ ନେଇ ସୀମାନ୍ତବାସୀ ପ୍ରଶ୍ନ କରିଛନ୍ତି। ଓଡ଼ିଶା ପକ୍ଷରୁ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ୩୨୪ କେୱାଇସି ଅପଡେଟ୍‌ ହୋଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ପଟ୍ଟାଙ୍ଗି ବିଡିଓ ରାମକୃଷ୍ଣା ନାୟକଙ୍କୁ ପଚାରିବାରୁ ପୂର୍ବରୁ ସୁଭଦ୍ରା ଯୋଜନାରେ ପାଇଥିବା ୬୧୮ ମହିଳାଙ୍କ ଆଧାର କାର୍ଡ କେୱାଇସି ଅପଡେଟ୍‌ ହେବ। ଏହା ପରେ ଉଚ୍ଚସ୍ତରରୁ ଯାହା ନିର୍ଦ୍ଦେଶ ଆସିବ, ତାକୁ ନେଇ ପୁଣି କାର୍ଯ୍ୟକ୍ରମ କରାଯିବ। ବର୍ତ୍ତମାନ କେବଳ ମହିଳାମାନଙ୍କର କେୱାଇସି କରାଯାଉଥିବା ସେ କହିଛନ୍ତି।