ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷ ବିଭାସ ଦାସ ଅଧ୍ୟକ୍ଷତା କରି ସମସ୍ତ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଦୃଢ଼ ଆତ୍ମବିଶ୍ୱାସ ରହିଲେ ନିଶ୍ଚିତ ସଫଳତା ମିଳିବ । ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। ଛାତ୍ରୀ ଶ୍ରୁତି ବିଷୋୟୀ ସନ୍ଦର୍ଭ ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭଲପମେଣ୍ଟ ସର୍ଭିସ ଇନ୍ ଏଜୁକେଶନ ଉପରେ ଲିଖିତ ସନ୍ଦର୍ଭଟିକୁ ପଠନ କରିଥିଲେ। ତାଙ୍କୁ ବିଭଗୀୟ ମୁଖ୍ୟ ଅଧ୍ୟାପିକା ତୃପ୍ତିମୟୀ ଦାସ ସହଯୋଗ କରିଥିଲେ। ଏଥିସହ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ତୃପ୍ତିମୟୀ ଦାସ ପାଠଚକ୍ରର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ। ସମନ୍ବିତ ଶିଶୁ ବିକାଶ ସେବା (ICDS) ହେଉଛି ଏକ ବ୍ୟାପକ କାର୍ଯ୍ୟକ୍ରମ ଯାହା ଶିଶୁମାନଙ୍କର ସାମଗ୍ରିକ ବିକାଶ ଏବଂ ମା’ମାନଙ୍କ କଲ୍ୟାଣ ଉପରେ କେନ୍ଦ୍ରିତ। ଏହା ଉପଯୁକ୍ତ ବୃଦ୍ଧି ଏବଂ ବିକାଶ ସୁନିଶ୍ଚିତ କରିବା ପାଇଁ ପୁଷ୍ଟିସାର, ସ୍ବାସ୍ଥ୍ୟସେବା ଏବଂ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ଏକୀକୃତ କରିଥାଏ।
ଏହି କାର୍ଯ୍ୟକ୍ରମ କୁପୋଷଣ ହ୍ରାସ କରିବା, ସ୍ବାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ଏବଂ ଆନୁଷ୍ଠାନିକ ସ୍କୁଲ ଶିକ୍ଷା ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେଣୁ ଏକ ସୁସ୍ଥ, ଶିକ୍ଷିତ ଏବଂ ଉତ୍ପାଦନକ୍ଷମ ସମାଜ ଗଠନ ପାଇଁ ICDSର ପ୍ରଭାବଶାଳୀ କାର୍ଯ୍ୟାନ୍ବୟାନ ଅତ୍ୟନ୍ତ ଜରୁରୀ ବୋଲି ଆଲୋଚନାରେ ଅଂଶଗ୍ରହଣ କରି ବକ୍ତାମାନେ କହିଥିଲେ। ବରିଷ୍ଠ ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ, ପ୍ରଶାନ୍ତ କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ଅଧ୍ୟାପକ ଆର ହରିଶ କୁମାର, ଦିଗନ୍ତ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସ୍ମୃତିଲେଖା ଗୌଡ଼ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଭାଗୀୟ ଛାତ୍ରୀଛାତ୍ର ସହଯୋଗ କରିଥିଲେ।