ଭବାନୀପାଟଣା, ୨୫ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଉପକଣ୍ଠ ଭଙ୍ଗାବାରି ରାସ୍ତା ନିର୍ମାଣ ହେଉଥିବାବେଳେ କଚରାଗଦାରେ ନିମ୍ନମାନର ରାସ୍ତା ଯୋଗୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହର ନିକଟ ଭଙ୍ଗାବାରିଠାରେ ଥିବା ପୌରପାଳିକା ଭିତରେ ରାସ୍ତା ନିର୍ମାଣ କରାଯାଇଛି। ଠିକ୍ ଭାବରେ ସଫା ନ କରି, ମାଟି ନ ଖୋଳି କଚରାଗଦା ଉପରେ ସିମେଣ୍ଟ କଂକ୍ରିଣ୍ଟ ରାସ୍ତା ନିର୍ମାଣ ହୋଇଛି। ଅତି ତରବରିଆ ଭାବରେ ଟେଣ୍ଡର କରା ନ ଯାଇ ରାସ୍ତା ନିର୍ମାଣ ହେଉଥିବାରୁ ଏହାର ମାନକୁ ନେଇ ପ୍ରଶ୍ନ ଉଠୁଛି। ଏପରି କି ଏହି ରାସ୍ତା ନିର୍ମାଣ ପରେ ପାଣି କ୍ୟୁରିଂ ମଧ୍ୟ କରାଯାଇ ନ ଥିବା ଅଭିଯୋଗ ହୋଇଛି। ପ୍ରାୟ ୪ ଲକ୍ଷରୁ ଊଦ୍ଧର୍ବ ଟଙ୍କାରେ ନିର୍ମାଣ କରାଯାଇଥିବା ଏହି କଂକ୍ରିଟ ରାସ୍ତାର ଟେଣ୍ଡର କରାଯାଇ ନାହିଁ। ୧୫ ହଜାର ଟଙ୍କାରୁ ଊଦ୍ଧର୍ବ ହେଲେ କୋଟେସନ କରିବା, ୫୦ ହଜାରରୁ ଊଦ୍ଧର୍ବ ହେଲେ ପେପର ଟେଣ୍ଡର ହେବା ଓ ୧ ଲକ୍ଷ ୯୯ ହଜାରୁ ଊଦ୍ଧର୍ବ ଟଙ୍କାର ହେଲେ ଇ-ଟେଣ୍ଡର ବ୍ୟବସ୍ଥାର ପ୍ରାବଧାନ ଥିବାବେଳେ ଏହି କାମରେ ଏହାର ଉଲ୍ଲଂଘନ ହୋଇଥିବାରୁ ଏହା ତଦନ୍ତସାପେକ୍ଷ। ଏ ନେଇ ଭବାନୀପାଟଣା ପୌରପାଳିକା କନିଷ୍ଠଯନ୍ତ୍ରୀ ରାଧାମୋହନ ରାୟଙ୍କୁ ପଚାରିବାରୁ ୪ ଲକ୍ଷରୁ ଊଦ୍ଧର୍ବ ଟଙ୍କାର ଏଷ୍ଟିମେଟ ହୋଇ ବିଭାଗୀୟ କାର୍ଯ୍ୟ ହୋଇଛି। ଏହି କାମରେ କୋଣସି ଅନିୟମିତତା ହୋଇନାହିଁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଗଲେ ଏହାର ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
Dharitri – The Largest & Most Trusted Odia Daily