ସମ୍ବଲପୁର,୯ା୫(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ରେ ରାଗିଂ ଅଭିଯୋଗ ହୋଇଛି। ସ୍ନାତକୋତ୍ତର ପ୍ରଥମ ବର୍ଷରେ ଅଧ୍ୟୟନରତ ଝାରସୁଗୁଡ଼ାର ଜଣେ ଛାତ୍ର ରାଗିଂର ଶିକାର ହୋଇଛନ୍ତି। ଗତ ଏକ ମାସ ହେଲା ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ର ଜଣଙ୍କ ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଥିଲେ।
ଭିମ୍ସାର କ୍ୟାଣି୍ଟନ୍ରେ ଖାଇବା ସମୟରେ ସମ୍ପୃକ୍ତ ବରିଷ୍ଠ ଛାତ୍ର ନିଶାସକ୍ତ ଅବସ୍ଥାରେ ତାଙ୍କୁ ଛୁରି ଦେଖାଇ ଭୟଭୀତ କରେଇଥିଲେ। ମାତ୍ର ସେ ଉଠି ଚାଲିଯିବାରୁ ତାଙ୍କୁ ଛୁରି ଧରି ଗୋଡାଇ ଥିଲେ। ହେଲେ ସେ କୌଣସି ମତେ ଏଥିରୁ ବର୍ତ୍ତି ଯାଇଥିଲେ। ଏନେଇ ରାଗିଂର ଶିକାର କନିଷ୍ଠ ଛାତ୍ର ଜଣକ ଗୁରୁବାର ଭିମ୍ସାର ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ କରିଛନ୍ତି।
ଏକ ସବ୍ କମିଟି ଗଠନ କରି ଘଟଣାର ତଦନ୍ତ କରାଯିବ ବୋଲି ଭିମସାର ଡିନ ଡା. ପ୍ରଦୀପ କୁମାର ମହାନ୍ତି ପ୍ରତିଶ୍ରୁତି ଦେଇଥିବା ଅଭିଯୋଗକାରୀଙ୍କ ପକ୍ଷରୁ କୁହାଯାଇଛି। ଏନେଇ ଡିନ ଡା. ମହାନ୍ତିଙ୍କୁ ତାଙ୍କ ମୋବାଇଲ ନଂ. ୯୪୩୯୯୯୦୨୪୨ରେ ଯୋଗାଯୋଗ କରାଯାଇଥିଲା। ରିଂ ହେବା ସତ୍ତ୍ୱେ ସେ ଫୋନ ରିସିଭ କରି ନ ଥିଲେ।