ଜିଲାପାଳଙ୍କ ଜନଶୁଣାଣି: ଅଭିଯୋଗ ଜଣାଇବାକୁ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୧୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପାଇଁ ଭିଡ଼ ଜମିଛି। ଉକ୍ତ ବ୍ଲକର ୨୫ ପଞ୍ଚାୟତ ଅଞ୍ଚଳରୁ ବହୁ ଲୋକ ଅଭିଯୋଗ କରିବାକୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବିଶେଷକରି ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟ୍‌୍‌ଓ୍ବର୍କ, ବିଦ୍ୟୁତ୍‌ ସଂଯୋଗ, ରାସ୍ତା ସମ୍ପ୍ରସାରଣ, ନୂତନ ପୋଲ ନିର୍ମାଣ, ଋଷିମାଳ ଉନ୍ନୟନ କାର୍ଯ୍ୟର ବିଲ ପୈଠ ନ ହେବା ସହ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ପାଇଁ ଲୋକଙ୍କ ଭିଡ଼ ହୋଇଥିବା ଜଣାପଡ଼ିଛି। ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ବିଡିଓ ପ୍ରୀତିରଞ୍ଜନ ରଥ ଏହି କାର୍ଯ୍ୟକ୍ରମକୁ ତଦରଖା କରୁଥିବା ବେଳେ କନ୍ଧମାଳ ଜିଲା ଜିଲାପାଳ ଭାବେ ବେଦଭୂଷଣ ଯୋଗ ଦେବା ପରେ ଦାରିଙ୍ଗବାଡ଼ି ଗସ୍ତ ଓ ଏଠାରେ ଅଭିଯୋଗ ଶୁଣାଣି ପ୍ରଥମଥର ହୋଇଥିବାରୁ ନୂତନ ଜିଲାପାଳ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବେ ବୋଲି ଆଶା ପ୍ରକଟ କରାଯାଇଛି।

ସେହିପରି ବ୍ଲକ ପକ୍ଷରୁ ଲୋକଙ୍କ ପାଇଁ ରେଡ୍‌ କାରପେଟ ବିଛାଯିବା ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକ ଅଭିଯୋଗ ପ୍ରକୋଷ୍ଠକୁ ଆସି କିଭଳି ଅଧିକ ଅଭିଯୋଗ କରିବେ। ସେ ନେଇ ପଞ୍ଚାୟତଗୁଡିକରେ ସୂଚନା ପ୍ରଦାନ କରାଯାଇଛି। ପୋଲିସ ପକ୍ଷରୁ ଡିଏସ୍‌ପି କନକ କୁମାର ମାଝୀ ସଦଳବଳ ଲୋକଙ୍କ ପାଇଁ ଆଇନ ବ୍ୟବସ୍ଥାର ତଦାରଖ କରିଛନ୍ତି।