ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ ସ୍ଥାନୀୟ ଖମାର ନାଳରେ ଦୂଷିତ କେମିକାଲ ପାଣି ଛଡାଯାଉଛି। ଫଳରେ ଗନ୍ଧ ଯୋଗୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାକୁ ନେଇ ସେପ୍ଟେମ୍ବର ୨୨ ତାରିଖ “ଧରିତ୍ରୀ”ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଅଞ୍ଚଳର ସାମାଜିକ କର୍ମୀ ଦିଲ୍ଲୀପ କୁମାର ନାୟକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ଅଭିଯୋଗ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି ସମସ୍ୟା ବିଷୟରେ ସେ ଟୁଇଟ କରିଥିଲେ। ଆଇପିଏଲ କିପରି ଲୋକଙ୍କ ଜୀବନ ସହ ଖେଳି ନାଳରେ ଦୂଷିତ ପାଣି ଛାଡୁଥିବା ଓ ଦୂଷିତ ବାଷ୍ପ ଯୋଗୁ ପରିବେଶ କିପରି ଦୂଷିତ ହେବା ସହ ଅଞ୍ଚଳରେ କିପରି ଶ୍ୱାସ ଜନିତ ସମସ୍ୟା ହେଉଛି ତାହା ଉପରେ ସେ ଅଭିଯୋଗରେ ଦର୍ଶାଇଥିଲେ। ତେବେ ରାଜ୍ୟ ପ୍ରଦୂଷଣ ବୋର୍ଡ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ନ ଦେଇ ପୁରୁଣା (ମାର୍ଚ୍ଚ ମାସର) ରିପୋର୍ଟ ପ୍ରଦାନ କରି କମ୍ପାନୀକୁ ବଞ୍ଚାଇ ନିଜ ଦାୟିତ୍ୱ ସାରିଦେଇଥିଲେ। ଫଳରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଏହି ଘଟଣାରେ କୋଣସି କାର୍ଯ୍ୟାନୁଷ୍ଠାନ ନ ନେବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ପ୍ରଦୂଷଣ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଅପାରଗତା ତଥା କମ୍ପାନୀ ପ୍ରତି ତାଙ୍କର ଆନୁଗତ୍ୟ ଥିବା ସ୍ପଷ୍ଟ ସୂଚାଇ ଦେଉଛି ।
ଏପରି ଅବହେଳାକୁ ନେଇ ସୋମବାର ସାମାଜିକ କର୍ମୀ ଦିଲ୍ଲୀପ କୁମାର ଦାସ ଆଇପିଏଲ ନାଁରେ ଜାତୀୟ ମାନବ ଅଧିକାର କମିଶନ(ଏନ ଏଚ ଆର ସି)ଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । କମିଶନଙ୍କ ଦ୍ୱାରା ଡାଏରୀ ନମ୍ବର ୨୮୧୪୯ / ଆଇ ଏନ/ ୨୦୨୫ ଭାବରେ ଗୃହୀତ ହୋଇଛି। ତେବେ ଏନଏଚଆରସି ଏହି ଘଟଣାରେ କେତେ ଦୂର କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।