ସରପଞ୍ଚ, ସମିତି ସଭ୍ୟ ଆଣିଲେ ସାଂଘାତିକ ଅଭିଯୋଗ

କେସିଙ୍ଗା,୨୨ା୨(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପୂର୍ବତନ ବିଡିଓ ମିଥ୍ୟା ବିଲ୍‌ କରି ଟଙ୍କା ଆତ୍ମସାତ୍‌ କରିଥିବା ନେଇ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗପତ୍ରରେ ଦର୍ଶାଯାଇଛି, ଏହି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଖେଳ ସାମଗ୍ରୀ କ୍ରୟ କରିବା ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଠିକ୍‌ ଭାବରେ ନ କରି ବିଭିନ୍ନ ଏଜେନ୍ସିଠାରୁ ନିମ୍ନମାନର ସାମଗ୍ରୀ ଆଣି ପଞ୍ଚାୟତକୁ ଯୋଗାଇ ଦିଆଯାଇଛି। ପୁଣି ନିର୍ଦ୍ଧାରିତ ସାମଗ୍ରୀଠାରୁ କମ୍‌ ଦିଆଯାଇଛି। ବାହାଦୁର ପଦର ହାଇସ୍କୁଲରେ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଛି।

ସେହିପରି ପଞ୍ଚାୟତ ସମିତି ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟରେ ଟଙ୍କା ହଡ଼ପ ହୋଇଛି। ଛାଞ୍ଚଚେର ପଞ୍ଚାୟତର ଆମ ବ୍ୟାଙ୍କ କାର୍ଯ୍ୟ ଓ ବ୍ଲକର ସମସ୍ତ ବସ୍‌ ରହଣିସ୍ଥଳ କାମରେ ଅଧିକ ବିଲ କରି ଟଙ୍କା ଆତ୍ମସାତ କରାଯାଇଛି।

ସର୍ବଶିକ୍ଷା ଅଭିଯାନର ବିଭିନ୍ନ ସ୍କୁଲକୁ ଆସିଥିବା ଟଙ୍କା କୌଣସି କାମ ନ କରି ଆତ୍ମସାତ କରାଯାଇଛି ବୋଲି ସମିତି ସଭ୍ୟାସଭ୍ୟ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଅସରପ୍ରାପ୍ତ ବିଡ଼ିଓ ପଦ୍ମନାଭ ପୁରୋହିତଙ୍କୁ ପଚାରିବାରୁ ମୁଁ କେତେଜଣ ସରପଞ୍ଚ ଓ ସମିତି ସଭ୍ୟ ଦୁର୍ନୀତି କରିଥିବାରୁ ତଦନ୍ତ ପାଇଁ ଜିଲାପାଳ ଓ ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ କରିଛି। ବର୍ତ୍ତମାନ ମୁଁ ଅବସର ନେବା ପରେ ମୋତେ ବଦନାମ କରିବାକୁ ଷଡଯନ୍ତ୍ର କରିଛନ୍ତି। ଏହା ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ସେ ପ୍ରକାଶ କରିଥିଲେ।